fbpx

ନିର୍ବାଚନୀ ପ୍ରସ୍ତୁତି; ଆଜି ପ୍ରଧାନମନ୍ତ୍ରୀ ମୋଦୀ ତାମିଲନାଡୁ ଏବଂ ମହାରାଷ୍ଟ୍ରରେ କରିବେ ପ୍ରଚାର, ଜନସଭାକୁ ସମ୍ବୋଧିତ କରି ଦେବେ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଭାରତ ଉପରେ ବିଶେଷ ଗୁରୁତ୍ୱ ଦେଉଥିବାର ନଜିର ରହିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁ ଏବଂ ମହାରାଷ୍ଟ୍ରରେ ନିର୍ବାଚନୀ ପ୍ରଚାର କରିବେ । ଏହା ସହ ଭେଲୋର ଏବଂ ମେଟ୍ଟୁପାଲାୟମରେ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ତାମିଲନାଡ଼ୁର ବିଜେପି ମୁଖ୍ୟ କେ. ଅନ୍ନା ମଲାଇଙ୍କ କହିବାନୁଯାୟୀ ପ୍ରଧାନମନ୍ତ୍ରୀ ଦୁଇ ଦିବସୀୟ ରାଜ୍ୟ ଗସ୍ତରେ ଅଛନ୍ତି । ପ୍ରଧାନମନ୍ତ୍ରୀ ଚେନ୍ନାଇରେ ଏକ ରୋଡ୍ ଶୋ ମଧ୍ୟ କରିଥିଲେ । ତେବେ ଆଜି ସକାଳ ୧୦ଟା ୩୦ରେ ପ୍ରଧାନମନ୍ତ୍ରୀ ତାମିଲନାଡ଼ୁର ଭେଲୁର ପହଞ୍ଚିବେ । ଏହା ପରେ ୧ଟା ୪୫ରେ ମେଟ୍ଟୁପାଲାୟାମରେ ଜନସଭାକୁ ସମ୍ବୋଧିତ କରିବେ । ତାମିଲନାଡ଼ୁ ପରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ନାଗପୁର ଜିଲ୍ଲାର ରାମଟେକରେ ସନ୍ଧ୍ୟା ୬ଟାରେ ସାଧାରଣ ସଭାରେ ସାମିଲ ହେବେ । କହିରଖୁଛୁ ନିକଟରେ ମୋଦୀ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଚେନ୍ନାଇରେ ଜନସଭାକୁ ସମ୍ବୋଧିତ କରିଥିଲେ ।

 

Get real time updates directly on you device, subscribe now.