fbpx

ଓଡ଼ିଶା କ୍ରାଇମ ରେକର୍ଡ଼ ବ୍ୟୁରୋକୁ ଜାତୀୟ ପୁରସ୍କାର ପୋଲିସ୍ ସଶକ୍ତିକରଣ ଦିଗରେ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ସ୍ପେଶାଲ ରିପୋର୍ଟ(ଏସ୍‌ଆର୍‌) ପରିଚାଳନା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ନ୍ୟାସନାଲ୍‌ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ଟ୍ରଫି ହାସଲ କରିବାରେ ଷ୍ଟେଟ୍ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏସ୍‌ସିଆର୍‌ବି)
ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଭୋପାଳଠାରେ ଅନୁଷ୍ଠିତ ହୋଇଥିବା ସର୍ବ ଭାରତୀୟ ପୋଲିସ୍‌ ଡ୍ୟୁଟି ମିଟ୍‌-୨୦୨୩ ଅବସରରେ ସୂଚନା ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ପୋଲିସ୍ ବିଭାଗକୁ ସଶକ୍ତ କରିବା ଭଳି ପଦକ୍ଷେପ ଯୋଗୁଁ ଏସ୍‌ସିଆର୍‌ବି
ଏହି ସମ୍ମାନ ପାଇବାରେ ବିରଳ ସଫଳତା ହାସଲ କରିଛି।

ଓଡ଼ିଶା ଷ୍ଟେଟ୍ କ୍ରାଇମ୍ ରେକର୍ଡ ବ୍ୟୁରୋ ଦ୍ୱିତୀୟ ଥର ନିମନ୍ତେ ଏହି ସମ୍ମାନଜନକ ଜାତୀୟସ୍ତରୀୟ ପୁରସ୍କାର ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛି। ଏସ୍‌ସିଆର୍‌ବିର ନିର୍ଦ୍ଦେଶକ ବିନୋୟତୋଷ ମିଶ୍ର ପୋଲିସ୍ ଡ୍ୟୁଟି ମିଟ୍‌ରେ ଯୋଗ ଦେଇ ଏହି ସମ୍ମାନଜନକ ଟ୍ରଫି ଗ୍ରହଣ କରିଛନ୍ତି। ଏସ୍‌ସିଆର୍‌ବିର ଏହି ସଫଳତା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏସ୍‌ସିଆର୍‌ବିର ସମସ୍ତ ଟିମ୍ ସଦସ୍ୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଚଳିତ ମାସ ୮ ତାରିଖରେ ଏସ୍‌ସିଆର୍‌ବି, ଡିଆଇଜି ଡ. ସତ୍ୟଜିତ୍ ନାଏକ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସମ୍ବଳିତ ଏସ୍‌ଆର୍‌ ମଡ୍ୟୁଲ୍ କମିଟି ସମ୍ମୁଖରେ ଉପସ୍ଥାପନ କରିଥିଲେ। ଏସ୍‌ଆର୍ ମଡ୍ୟୁଲ୍‌ର ମୂଲ୍ୟାୟନ କରାଯିବା ପରେ କମିଟି ଏହାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ମଧ୍ୟରେ ଶ୍ରେଷ୍ଠ ମଡ୍ୟୁଲ୍‌ ବୋଲି ଘୋଷଣା କରିଥିଲେ।

Get real time updates directly on you device, subscribe now.