ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି, ନୂଆ ପାଠ୍ୟକ୍ରମରେ ରହିବ ଜଙ୍ଗଲ-କେନ୍ଦ୍ରୀୟ ସଂସ୍କୁତି, ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ସମ୍ବଲପୁର: ଓଡ଼ିଶା ଅଣଗେଜେଟେଡ୍ ବନ ସେବା ସଙ୍ଘ, ସମ୍ବଲପୁର ଜୋନର ସାଧାରଣ ପରିଷଦ ବୈଠକରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ବୈଠକରେ ସେ କହିଛନ୍ତି ଯେ, ଜଙ୍ଗଲ ହେଉଛି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ । ଜଙ୍ଗଲରୁ ହିଁ ଦେଶ ସ୍ୱାଧୀନତାର ନେତୃତ୍ୱ ବିକଶିତ ହୋଇଛି । ଜଙ୍ଗଲ ଆମକୁ ସନ୍ତୁଳିତ ଜୀବନ ପ୍ରଦାନ କରିଥାଏ । ଫରେଷ୍ଟ କଭରେଜ କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି । ରାଜ୍ୟର ସର୍ବାଧିକ ଜଙ୍ଗଲ ସଂପଦ ରହିଥିବା ଅଞ୍ଚଳଗୁଡ଼ିକ ମଧ୍ୟରେ ସମ୍ବଲପୁର ଅନ୍ୟତମ । ୨୦୨୫ରୁ ୨୦୭୦ ଅର୍ଥାତ ଆସନ୍ତା ୪୫ ବର୍ଷ ମଦ୍ୟରେ ଆମର ଜଙ୍ଗଲ ପରିସୀମାକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି ।

ସେ ଆଗକୁ କହିଛନ୍ତି ଯେ, ଜାତୀୟ ଶିକ୍ଷାନୀତିକୁ ରାଜ୍ୟରେ ବିଧିବଦ୍ଧ ଭାବେ ଲାଗୁକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର । ଏହି ଶିକ୍ଷାନୀତି ଅନୁଯାୟୀ, ଯେଉଁ ପାଠ୍ୟକ୍ରମ ପ୍ରସ୍ତୁତ ହେବ, ସେଥିରେ ଓଡ଼ିଶାର ଜଙ୍ଗଲ-କେନ୍ଦ୍ରିକ ସଂସ୍କୃତି, ଇତିହାସ ଓ ସମ୍ଭାବନା ବିଷୟରେ ଶିକ୍ଷା ଦିଆଯିବ । ଜଙ୍ଗଲ ହେଉଛି ଓଡ଼ିଶା ଅର୍ଥନୀତିର ମେରୁଦଣ୍‌ପ । ଜଙ୍ଗଲ ସାଙ୍ଗେ ଆଦିବାସୀ ଭାଇଭଉଣୀ ମାନଙ୍କର ଜୀବନ-ଜୀବିକା ଯୋଡି ହୋଇରହିଛି । ଅତୀତରେ ଜଙ୍ଗଲରୁ ହିଁ ଦେଶ ସ୍ୱାଧୀନତାର ନେତୃତ୍ୱ ବିକଶିତ ହୋଇଥିଲା । ଏ ସମସ୍ତ ବିଷୟ ସାଙ୍ଗକୁ ସତତ ବିକାଶ ଲକ୍ଷ୍ୟ ବା ଏସ.ଡି.ଜି ସଙ୍ଗେ ଜଙ୍ଗଲ ସଂପଦକୁ ଯୋଡ଼ିବା ଦିଗରେ ମଧ୍ୟ ନୂତନ ପାଠ୍ୟକ୍ରମରେ ଗୁରୁତ୍ୱ ଦିଆଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।