fbpx

କଂଗ୍ରେସକୁ ଘାରିଲା ଇଡିର ଭୟ; ନ୍ୟାସନାଲ ହେରାଲ୍ଡ ମାମଲାରେ ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଏହି ମାମଲାରେ ଇଡି କମ୍ପାନୀ ସହ ଜଡ଼ିତ ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଦିଲ୍ଲୀରେ ଥିବା ନ୍ୟାଶନାଲ ହେରାଲ୍ଡ ଘର, ଲକ୍ଷ୍ନୌରେ ଥିବା ନେହରୁ ଭବନ ଓ ମୁମ୍ବାଇର ଥିବା ନ୍ୟାସନାଲ ହେରାଲ୍ଡ ଘର ଜବତ ହୋଇଥିବା ତାଲିକାରେ ରହିଛି। ଏଜେଏଲର ସମ୍ପତ୍ତିର ମୋଟ ମୂଲ୍ୟ ହେଉଛି ୬୬୧.୬୯ କୋଟି ଟଙ୍କା। ନ୍ୟାସନାଲ ହେରାଲ୍ଡ ଖବରକାଗଜର ପ୍ରକାଶନ ସଂସ୍ଥା ଏଜେଏଲ୍। ଏହା ଏବେ ‘ୟଙ୍ଗ ଇଣ୍ଡିଆ’ ଅଧୀନରେ ରହିଛି। ଏଥିରେ ୟଙ୍ଗ ଇଣ୍ଡିଆର ସମ୍ପତ୍ତିର ମୂଲ୍ୟ ୯୦.୨୧ କୋଟି ଟଙ୍କା।

ଆୟକର ବିଭାଗର ନିର୍ଦ୍ଦେଶକ ଗଣମାଧ୍ୟମକୁ କହିଛନ୍ତି ଯେ, ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମା’ ସୋନିଆ ଗାନ୍ଧୀ ଏବଂ ଦଳର ସଭାପତି ମଲ୍ଲିକା ଅର୍ଜୁନ ଖଡ଼ଗେଙ୍କୁ ପଚରାଉଚରା କରିଛି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି)। ଏହି ମାମଲାରେ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାର ଯାଇ ତାଙ୍କର ବୟାନକୁ ରେକର୍ଡ କରାଯାଇଛି । ଏନେଇ ଇଡି ଉଭୟ କଂଗ୍ରେସ ନେତାଙ୍କୁ ପଚରାଉଚରା କରି ସାରିଛନ୍ତି।

ସୂଚନା ଥାଉକି, ଦିଲ୍ଲୀର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ୨୦୧୪ରେ ଏଜେଏଲ ଏବଂ ୟଙ୍ଗ ଇଣ୍ଡିଆ ବିରୋଧରେ ପିଏମଏଲଏ ଅନ୍ତର୍ଗତ ଇଡି ତଦନ୍ତ ଆରମ୍ଭ କରିଥିଲା। ଅନୁସନ୍ଧାନରୁ ଜଣାପଡିଥିଲା ଏହି ମାମଲା ସହ ଜଡିତ ଅଭିଯୁକ୍ତମାନେ ୟଙ୍ଗ ଇଣ୍ଡିଆନ ମାଧ୍ୟମରେ ଶହ ଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପାଇବା ପାଇଁ ଅପରାଧିକ ଷଡଯନ୍ତ୍ର କରିଥିଲେ। ଅଭିଯୋଗ ହୋଇଛି ଖବରକାଗଜ ପ୍ରକାଶନ ପାଇଁ ସରକାର ଭାରତର ବିଭିନ୍ନ ସହରରେ ରିହାତି ମୂଲ୍ୟରେ ଜମି ପ୍ରଦାନ କରିଥିଲେ। ତେବେ ବର୍ତ୍ତମାନ ଏହି ମାମଲାକୁ ନେଇ କଂଗ୍ରେସ ଦଳକୁ ଇଡିର ଭୟ ଘାରିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.