ଦେଶରେ ପାଳନ ହେଉଛି ରାଷ୍ଟ୍ରୀୟ ଶୋକ: ନୂଆ ବର୍ଷ ସେଲିବ୍ରେସନ ନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି
୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଇଁ ନୂଆ ବର୍ଷ ସେଲିବ୍ରେସନ ନ କରିବାକୁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି। ଫୁଲତୋଡ଼ା, ଡାଏରୀ କିମ୍ବା ଅନ୍ୟାନ୍ୟ ଦ୍ରବ୍ୟ ସାଙ୍ଗରେ ନ ନେଇ ଆସିବାକୁ ଅନୁରୋଧ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
ଭୁବନେଶ୍ୱର: ଗତ ୨୬ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଘଟିଛି । ସେଥିପାଇଁ ଦେଶ ସାରା ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି ।
ଏହି ରାଷ୍ଟ୍ରୀୟ ଶୋକକୁ ସମ୍ମାନ ଜଣାଇ ସରକାରୀ ନିୟମ ଅନୁଯାୟୀ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନିଆଯାଇଛି ।
ଏହି ମଧ୍ୟରେ ନବବର୍ଷ ୨୦୨୫ ମଧ୍ୟ ଆସୁଛି । ତେଣୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଶୁଭେଚ୍ଛୁ ଓ ହିତାକାଂକ୍ଷୀମାନଙ୍କୁ ନବବର୍ଷରେ ତାଙ୍କ ନିକଟକୁ କୌଣସି ପ୍ରକାର ଫୁଲତୋଡ଼ା, ଡାଏରୀ କିମ୍ବା ଅନ୍ୟାନ୍ୟ ଦ୍ରବ୍ୟ ସାଙ୍ଗରେ ନ ନେଇ ଆସିବାକୁ ଅନୁରୋଧ କରିଛନ୍ତି ।
ଏନେଇ ଲୋକସମ୍ପର୍କ ଅଧିକାରୀଙ୍କ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।