fbpx

Naveen- Grandmaster of Politics: ଅନ୍ତର୍ଜାତୀୟ ସ୍ତରର ପ୍ରସିଦ୍ଧ ପତ୍ରିକା ‘The Week’ କଭରେ ପେଜରେ ସ୍ଥାନ ପାଇଲେ ଅପରାଜେୟ ମହାନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନେ ନୁହେଁ, ମାସେ ନୁହେଁ, ବର୍ଷେ ନୁହେଁ, ଅଢ଼େଇ ଦଶନ୍ଧି ଅର୍ଥାତ ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାର ମଙ୍ଗ ଧରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ । ବ୍ୟକ୍ତିଗତ ଜୀବନରେ ସର୍ବଦା ନମ୍ର, ଭଦ୍ର, ବିଜ୍ଞ, କର୍ତ୍ତବ୍ୟନିଷ୍ଠ, ଦାୟିତ୍ୱସମ୍ପନ୍ନ, ଅସାଧାରଣ ବ୍ୟକ୍ତିତ୍ୱ ହୋଇଥିଲେ ହେଁ ରାଜନୈତିକ କ୍ଷେତ୍ରରେ କିନ୍ତୁ ସେ ଶତ୍ରୁକୁ ଧୂଳି ଚଟାଇବାରେ ବେଶ୍ ମାହିର । ଭାରତରେ ଯେଉଁ ରାଜନୈତିକ ଦଳ କ୍ଷମତାରେ ଥାଉ ନା କାହିଁକି ସମସ୍ତେ ନବୀନଙ୍କ ଆଗରେ ସର୍ବଦା ଫିକା ପଡ଼ିଯାଇଛନ୍ତି । ନବୀନ ନିଜର ଦକ୍ଷତା ବଳରେ ଏକାଧିକ ଥର ଜାତୀୟ ସ୍ତରର ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି ।

ତେବେ କେବଳ ରାଜ୍ୟ କି ଦେଶ ମଧ୍ୟରେ ସୀମିତ ରହି ନାହାନ୍ତି ନବୀନ । ଏହା ମଧ୍ୟରେ ଅନ୍ତର୍ଜାତୀୟ ସ୍ତରର ପ୍ରସିଦ୍ଧ ଇଂରାଜୀ ପତ୍ରିକା ‘ଦି ୱିକ’ ତା’ର କଭର ପେଜରେ ନବୀନଙ୍କୁ ସ୍ଥାନିତ କରିଛି । ସେଥିରେ ନବୀନ ଚେସ୍ ଗୋଟି ଚାଳନା କରୁଥିବା ଫଟୋ ସ୍ଥାନ ପାଇଛି । ତେବେ ବାସ୍ତବ ଜୀବନରେ ମଧ୍ୟ ନବୀନ ରାଜନୀତିର ଚେସ ପଶାପାଲିର ଜଣେ ଗ୍ରାଣ୍ଟମାଷ୍ଟର ଭାବେ ନିଜକୁ ପ୍ରମାଣିତ କରିସାରିଛନ୍ତି ।

ବିଜୁ ଜନତା ଦଳ (ବିଜେଡି) ପରି ଏକ ଆଞ୍ଚଳିକ ଦଳକୁ ନବୀନ ପରିଚାଳନା କରୁଥିଲେ ହେଁ ଏହି ଦଳର ରଣନୀତି, ଆଦର୍ଶକୁ ଆଜି ସମସ୍ତ ରାଜନୈତିକ ଦଳମାନେ ପ୍ରଶଂସା କରୁଛନ୍ତି । ଦୀର୍ଘ ୨୫ ବର୍ଷ ଧରି ଅପରାଜୟ ରହିଥିବା ଏହି ଗ୍ରାଣ୍ଡମାଷ୍ଟର ଅଚାନକ ରାଜନୀତିରେ ପ୍ରବେଶ କରିଥିଲେ ହେଁ, ରାଜନୀତି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ହେଁ ସର୍ବଦା ବିରୋଧୀଙ୍କ ଉପରେ ଭାରି ପଡ଼ିଛନ୍ତି । ଏପରି ମହାନାୟକଙ୍କୁ ରାଜନୀତିର ସତରଞ୍ଜରେ ହରାଇବାକୁ କୌଣସି ରଥୀ ବୋଧହୁଏ ଜନ୍ମ ନେଇନାହାନ୍ତି, ଏହି କଥାଟି ଗୁଞ୍ଜରିତ ହେଉଛି ଦେଶ ତଥା ରାଜ୍ୟର ଜନମାନସରେ ।

‘ଦି ୱିକ’ରେ ନବୀନଙ୍କର ଏକ ସାକ୍ଷାତକାର ପ୍ରକାଶ ପାଇଛି । ସେଥିରେ ନବୀନ କହିଛନ୍ତି, ସାରା ଓଡ଼ିଶାବାସୀ ହେଉଛନ୍ତି ମୋର ନିଜ ପରିବାରର ଜଣେ ଜଣେ ସଦସ୍ୟ । ମୁଁ ରାଜନୀତିରେ ପାଦ ଦେବା ପରଠାରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶିର୍ବାଦରେ ମୋ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ନିଜକୁ ସମର୍ପି ଦେଇଛି । ରାଜ୍ୟର ଗରିବ ମାଆ, ଭାଇ, ଭଉଣୀଙ୍କ ଓଠରେ ହସ ଫୁଟାଇବା ପାଇଁ ମୁଁ ଅନେକ କାର୍ଯ୍ୟ କରିଛି । ଆଗକୁ ରାଜ୍ୟବାସୀଙ୍କ ପାଇଁ ମୁଁ ବହୁତ କିଛି କରିବା ନେଇ ସ୍ୱପ୍ନ ଦେଖିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପାୟନ ଆଦି ସବୁ କ୍ଷେତ୍ରରେ ମୋ ଓଡ଼ିଶା ଯେପରି ନମ୍ବରୱାନ ହେବ ତାହା ହେଉଛି ମୋର ପ୍ରାଥମିକ ଲକ୍ଷ୍ୟ ।

ତେବେ ଏଠାରେ ଆମର କହିବା କଥା, ‘ଦି ୱିକ’ ନବୀନଙ୍କୁ ‘ରାଜନୀତିର ଗ୍ରାଣ୍ଡମାଷ୍ଟର’ ଭାବେ ଅଭିହିତ କରିବାର ବିଭିନ୍ନ ଯଥାର୍ଥତା ରହିଛି । ଦୀର୍ଘ ୨୭ ବର୍ଷର ରାଜନୈତିକ କ୍ୟାରିୟରରେ ନବୀନ ୨୨ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିଛନ୍ତି । ଦୀର୍ଘ ବର୍ଷର ରାଜନୈତିକ ଜୀବନରେ ସେ ଦୁର୍ନୀତିକୁ କେବେ ବି ପ୍ରଶ୍ରୟ ଦେଇନାହାନ୍ତି । ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ ସେ ସର୍ବଦା ନିରହଂକାର, ସ୍ୱଚ୍ଛ, କର୍ତ୍ତବ୍ୟନିଷ୍ଠ, ସମାଜସେବା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ଅନେକ ନୂଆ ନୂଆ ଯୋଜନା ପ୍ରଣୟନ କରି ଲୋକଙ୍କ ଦୁଃଖସୁଖରେ ଛିଡ଼ା ହେବା ସହ ନୂଆ ନୂଆ ବିକାଶମୂଳକ ପଦକ୍ଷେପ ନେଇ ରାଜ୍ୟକୁ ଆଗକୁ ନେବାରେ ଯଥେଷ୍ଟ ପ୍ରୟାସ କରିଛନ୍ତି । ତେଣୁ ଆଗକୁ ମଧ୍ୟ ନବୀନ ନମ୍ବରୱାନ, ଅପରାଜୟେ ରହି ନୂଆ ଓଡ଼ିଶା ତଥା ନୂଆ ଭାରତ ଗଠନ କରନ୍ତୁ ଏହା ଆମର କାଳିଆ ନିକଟରେ ବିନମ୍ର ପ୍ରାର୍ଥନା ।

Get real time updates directly on you device, subscribe now.