fbpx

ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କଲେ ନବୀନ

Advertisement

ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭାସ୍କର): ପଞ୍ଚମ ପାଳିର ୧ବର୍ଷ ପୂରଣ କଲେ ନବୀନ ।୨୦୧୯ ମଇ ୨୯ ତାରିଖରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ । ତାଙ୍କ ନେତୃତ୍ୱରେ ୫ମ ଥର ପାଇଁ ରାଜ୍ୟରେ ଗଠନ ହୋଇଥିଲା ବିଜେଡି ନେତୃତ୍ୱାଧୀନ ସରକାର । ଶୁକ୍ରବାର ନବୀନଙ୍କ ନେତୃତ୍ୱାଧୀନ ସରକାର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କରିବାକୁ ଯାଉଛି । ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି କେବଳ ଦେଶ ନୁହେଁ ବିଶ୍ୱସ୍ତରରେ ସଫଳତା ହାସଲ କରିଚାଲିଛନ୍ତି ନବୀନ । ଫନିର କ୍ଷୟକ୍ଷତି ଭିତରେ ଆରମ୍ଭ ହୋଇଥିଲା ନବୀନଙ୍କ ପଞ୍ଚମ ଇନିଂସ । ମୁଖ୍ୟମନ୍ତ୍ରୀ ହେବା ପରେ ପୁରୀ, ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ସରକାର । ଯୁଦ୍ଧକାଳୀନ ଭିତ୍ତିରେ ବାତ୍ୟା ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟ କରି ଦେଶ ଓ ବିଦେଶରେ ପ୍ରଶଂସିତ ହୋଇଥିଲେ । ଏହାପରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ବିକାଶ କାର୍ଯ୍ୟକୁ ଫୋକସ ଦେଇ ୩୨ଶହ କୋଟି ଟଙ୍କା ବ୍ୟୟବରାଦ କରିଥିଲେ । ପୁରୀକୁ ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେବାପାଇଁ ନବୀନ ଆରମ୍ଭ କରିଥିଲେ ପ୍ରୟାସ । କେବଳ ପୁରୀ ନୁହେଁ, କୋଣାର୍କ, ଲିଙ୍ଗରାଜ, ସମଲେଶ୍ୱରୀ ଓ ତାରାତାରିଣୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଏହି ଆରମ୍ଭ କରାଯାଇଛି । ଏହାସହିତ ସଂଖ୍ୟାଲଘୁ ଧାର୍ମିକ ଅନୁଷ୍ଠାନର ବିକାଶ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ଆର୍ଥିକ ସହାୟତା । ମେଡ଼ିକାଲ ସେବାକୁ ବିଶ୍ୱସ୍ତରୀୟ କରିବା ପାଇଁ ମଧ୍ୟ ନବୀନ ପଞ୍ଚମ ପାଳିରେ ପ୍ରୟାସ ଆରମ୍ଭ କରିଥିଲେ । କଟକ ବଡ଼ ମେଡ଼ିକାଲକୁ ଏମ୍ସ ପ୍ଲସ୍ କରିବାକୁ ହଜାରେ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାସହ ପ୍ରଶାସନକୁ ଲୋକଙ୍କ ନିକଟତର କରିବା ପାଇଁ ଆରମ୍ଭ ହୋଇଛି “ମୋ ସରକାର’ କାର୍ଯ୍ୟକ୍ରମ । ଲୋକଙ୍କ ସହ ସିଧାସଳଖ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଯାଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କର୍ମଚାରୀଙ୍କ ପାଇଁ ପ୍ରମୋଶନ ଅଦାଲତ କରି ପ୍ରମୋଶନ ଦେଇଛନ୍ତି ରାଜ୍ୟ ସରକାର । ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ କାର୍ଯ୍ୟ ଯୋଗାଇବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଧାନକିଣାରେ ସ୍ୱଚ୍ଛତା ଆଣିବା ସହ ଚାଷୀଙ୍କୁ ଉଚିତ ପ୍ରାପ୍ୟ ପ୍ରଦାନ ପାଇଁ ଇ-ଟୋକନ ବ୍ୟବସ୍ଥା ଆରମ୍ଭ ହୋଇଛି । ପଞ୍ଚମ ପାଳିର ଏକବର୍ଷ ପୂର୍ତ୍ତି ହେବାକୁ ଆଉମାତ୍ର କିଛିଦିନ ଥିବାବେଳେ ସରକାରଙ୍କ ପାଇଁ କରୋନା ଭଳି ବିଶ୍ୱ ମହାମାରୀର ମୁକାବିଲା ଓ ବାତ୍ୟା “ଅମ୍ଫାନ’ ମଧ୍ୟ ବଡ଼ ଚାଲେଞ୍ଜ ସୃଷ୍ଟି କରିଥିଲା । ତେବେ ଏହାକୁ ମଧ୍ୟ ନବୀନଙ୍କ ନେତୃତ୍ୱାଧୀନ ସରକାର ସଫଳତାର ସହ ମୁକାବିଲା କରିଛି । ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା, କ୍ୱାରେଣ୍ଟାଇନ କେନ୍ଦ୍ର ସ୍ଥାପନ, ନମୁନା ପରୀକ୍ଷା ବୃଦ୍ଧି ସହ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ବିଶ୍ୱସ୍ତରୀୟ କରିପାରିଛି । ଏପରିକି ଏହି ଅସୁବିଧା ସମୟରେ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇ ଏହାକୁ ସଫଳତାର ସହ ମୁକାବିଲା କରିଛନ୍ତି ନବୀନ । ବାତ୍ୟା ଅମ୍ଫାନ ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ବରୁ ଗ୍ରହଣ କରିଥିବା ପଦକ୍ଷେପ ମଧ୍ୟ ପ୍ରଶଂସାର ପାତ୍ର ପାଲଟି ପାରିଛି ।

 

Get real time updates directly on you device, subscribe now.