fbpx

ପଟିଆଲା ଜେଲରେ ସିଦ୍ଧୁଙ୍କୁ ମିଳିଲା କ୍ଲର୍କ କାମ, ଜାଣନ୍ତୁ କେତେ ମିଳିବ ଦରମା

ନୂଆଦିଲ୍ଲୀ: ୧୯୮୮ର ଏକ ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପଟିଆଲା ଜେଲରେ ସଜା କାଟୁଛନ୍ତି ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ। ଖରାପ ସ୍ଵାସ୍ଥ୍ୟବସ୍ଥା କାରଣରୁ ତାଙ୍କୁ କାରାଗାରରେ କଠିନ କାମ ନଦେବାକୁ କୁହାଯାଇଛି। ଏଥିପାଇଁ ସେ ଜେଲରେ କ୍ଲର୍କ ଭାବେ କାମ କରିବେ। ପ୍ରଥମ ତିନି ମାସ ତାଙ୍କୁ ପ୍ରଶିକ୍ଷଣ ଦିଆଯିବ ଏବଂ ପ୍ରଥମ ୯୦ ଦିନର ବେତନ ମିଳିବ ନାହିଁ।

ଜେଲ୍ ନିୟମାବଳୀ ଅନୁସାରେ ସିଦ୍ଧୁଙ୍କୁ ପ୍ରଥମେ ୯୦ ଦିନ ଯାଏ କୌଣସି ଦରମା ମିଳିବ ନାହିଁ। ତାଙ୍କୁ ଏହି ତିନି ମାସରେ ଅଦାଲତରେ ଲମ୍ବିତ ନିଷ୍ପତ୍ତିକୁ କେମିତି ସଂକ୍ଷିପ୍ତ କରାଯାଏ ଏବଂ ଜେଲ ରେକର୍ଡକୁ କେମିତି ରଖାଯାଏ ତା ଉପରେ ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷଣ ପୂରା ହେବା ପରେ ପ୍ରତି ଦିନ ହିସାବରେ ତାଙ୍କୁ ୪୦ ଟଙ୍କାରୁ ୯୦ ଟଙ୍କା ପର‌୍ୟ୍ୟନ୍ତ ବେତନ ମିଳିବ। ବେତନ ତାଙ୍କର କାମ କରିବାର କ୍ଷମତା ଏବଂ ଶୈଳୀ ଆଧାରରେ ସ୍ଥିର କରାଯିବ। ଦରମା ତାଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ।

ଜେଲର ଜଣେ ଅଧିକାରୀଙ୍କ ଅନୁଯାୟୀ, ନବଜୋତ ସିଂହ ସିଦ୍ଧୁ ବ୍ୟାରେକରେ କାମ କରିବେ କାରଣ ସେ ଜଣେ ହାଇ ପ୍ରୋଫାଇଲ କଏଦୀ। ଜେଲର ଫାଇଲ୍ ବାରାକକୁ ପଠାଯିବ, କାରଣ ତାଙ୍କୁ ନିଜ ସେଲରୁ ବାହାରିବାକୁ ଅନୁମତି ମିଳିବ ନାହିଁ। ମଙ୍ଗଳବାରଠୁ ସିଦ୍ଧୁ କ୍ଲର୍କ ଭାବେ କାମ କରିବା ଆରମ୍ଭ କରି ଦେଇଛନ୍ତି। ସେ ଦୁଇଟି ସିଫ୍ଟରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ଯାଏଁ କାମ କରିବେ।

ସୂଚନାଯୋଗ୍ୟ, କ୍ରିକେଟରୁ ନେତା ପାଲଟିଥିବା ସିଦ୍ଧୁଙ୍କୁ ୧୯୮୮ରେ ପାର୍କିଂକୁ ନେଇ ବଚସା ଏବଂ ସେଥିରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ମାମଲାରେ ଏକ ବର୍ଷର ଜେଲ୍ ଦଣ୍ଡାଦେଶ ହୋଇଛି। ସୁପ୍ରିମକୋର୍ଟ ମେ ୧୯ରେ ଏହି ଦଣ୍ଡାଦେଶ ଶୁଣାଇଥିଲେ। ଏହା ପରେ ମେ ୨୦ରେ ସିଦ୍ଧୁ ପଟିଆଲା ନିମ୍ନ ଅଦାଲତରେ ଆତ୍ମ ସମର୍ପଣ କରିଥିଲେ। ସିଦ୍ଧୁଙ୍କୁ ଯେଉଁ ବାରାକରେ ରଖାଯାଇଛି, ତାରି ଭିତରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାଞ୍ଚ ଓ୍ଵାଡେନ ଏବଂ ଚାରି ଜଣ ଜେଲ୍ କଏଦୀଙ୍କୁ ସିଦ୍ଧୁଙ୍କ ଉପରେ ନଜର ରଖିବାକୁ କୁହାଯାଇଛି।

Get real time updates directly on you device, subscribe now.