fbpx

Navy Day ୨୦୨୧: ଗେଟ୍ ୱେ ଅଫ୍ ଇଣ୍ଡିଆରେ ସ୍ଥାନ ପାଇଲା ବିଶ୍ୱର ବୃହତ୍ତମ ଜାତୀୟ ପତାକା

ମୁମ୍ବାଇ: ଗେଟ୍ ୱେ ଅଫ୍ ଇଣ୍ଡିଆଠାରେ ଉଡ଼ିଲା ଦୁନିଆର ସବୁଠୁ ବଡ଼ ଜାତୀୟ ପତାକା । ନୌସେନା ଦିବସ ଅବସରରେ ଭାରତୀୟ ନୌସେନାର ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଶନିବାର ମୁମ୍ବାଇ ନାଭାଲ ଡକୟାର୍ଡରେ ଦୁନିଆର ସବୁଠୁ ବଡ଼ ରାଷ୍ଟ୍ରୀୟ ପତାକାକୁ ପ୍ରଦର୍ଶିତ କରିଛି । ଏହି ପତାକାର ମୁହଁ ଐତିହାସିକ ଗେଟ ୱେ ଅଫ୍ ଇଣ୍ଡିଆ ଆଡ଼କୁ ରହିଥିଲା । ପତାକାର ଲମ୍ବ ୨୨୫ ଫୁଟ ଏବଂ ୧୫୦ ଫୁଟ ଚଉଡ଼ା ରହିଛି ଏବଂ ଓଜନ ୧୪୦୦ କେଜି ରହିଛି । ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏହି ଜାତୀୟ ପତାକାକୁ ଖଦୀ ଏବଂ ଗ୍ରାମୋଦ୍ୟୋଗ ଆୟୋଗ ପ୍ରସ୍ତୁତ କରିଛନ୍ତି ।

ଏହି ଅବସରରେ ଭାରତୀୟ ନୌସେନା କହିଛନ୍ତି ଯେ ଭାରତରେ ନୌସେନା ଦିବସ ପ୍ରଥମେ ୨୧ ଅକ୍ଟୋବର ୧୯୪୪ ରେ ରୟାଲ ଇଣ୍ଡିଆନ ନାଭି ତରଫରୁ ପାଳିତ ହୋଇଥିଲା । ଏହାପରେ ୧୯୭୨ ପର୍ଯ୍ୟନ୍ତ ଏହା ଡିସେମ୍ବର ୧୫ ରେ ପାଳନ କରାଯାଉଥିଲା ଏବଂ ସେହି ସପ୍ତାହକୁ ନୌସେନା ସପ୍ତାହ ଭାବରେ ପାଳନ କରାଯାଉଥିଲା । ୧୯୭୧ ମସିହାରେ ଇଣ୍ଡୋ-ପାକ୍ ଯୁଦ୍ଧ ପରେ, ସିନିୟର ନାଭାଲ ଅଫିସରଙ୍କ ବୈଠକରେ ଏକ ନିଷ୍ପତ୍ତି ନିଆଯାଇଥିଲା ।

ଏହି ବୈଠକରେ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା ଏବଂ ନୌସେନା ସପ୍ତାହ ୧ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏହାପରେ ୧୯୭୨ରୁ ଆଜି ପର୍ଯ୍ୟନ୍ତ ଡିସେମ୍ବର ୪ ତାରିଖକୁ ନୌସେନା ଦିବସ ରୂପେ ପାଳନ କରାଯାଉଛି ।

ନୌସେନା ଦିବସ ପାଳନ କରିବା ପଛରେ ଧାରଣା ଥିଲା ସାଧାରଣ ଲୋକଙ୍କ ମଧ୍ୟରେ ନୌସେନା ସମ୍ପର୍କରେ ସଚେତନତା ବୃଦ୍ଧି କରିବା । ନୌସେନା ଦିବସ ପାରମ୍ପରିକ ଭାବରେ ବିଭିନ୍ନ ବନ୍ଦର ସହରରେ ପାଳନ କରାଯାଏ ଏହି ସମୟରେ ପରେଡ ମଧ୍ୟ ଆୟୋଜିତ କରାଯାଇଥାଏ । ଆଭ୍ୟନ୍ତରୀଣ ନୌସେନା ପ୍ରତିଷ୍ଠାନ ଗୁଡ଼ିକରେ ସାଧାରଣ ସଭା ମଧ୍ୟ ଆୟୋଜନ କରାଯାଇଥାଏ ।

Get real time updates directly on you device, subscribe now.