fbpx

ଏନସିବି ଅଧିକାରୀ ସମୀରଙ୍କୁ ୱାଙ୍ଖଡେଙ୍କୁ ମହାରାଷ୍ଟ୍ର ମନ୍ତ୍ରୀଙ୍କ ଧମକ- ‘ଗୋଟିଏ ବର୍ଷରେ ଚାକିରି ଛଡାଇ ନେବି, ଜେଲ୍ ପଠାଇବି’

ମୁମ୍ବାଇ : ଡ୍ରଗ୍ସ କେସରେ ବଲିଉଡର ବଡ ବଡିଆଙ୍କ ନିଦ ହଜାଇ ଦେଇଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଫିସର ସମୀର ୱାଙ୍ଖଡେଙ୍କୁ ମହାରାଷ୍ଟ୍ର ମନ୍ତ୍ରୀଙ୍କ ଧମକ । ସମୀରଙ୍କୁ ଜେଲ୍ ପଠାଇବାର ଧମକ ଦେଲେ ମନ୍ତ୍ରୀ ନୱାବ ମଲିକ । ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ପାଖରେ ଗୋଟିଏ କାଠ ପୁତୁଳା ରହିଛି, ଆଉ ସେ ହେଉଛି ସମୀର ୱାଙ୍ଖଡେ । ଏହି ଅଧିକାରୀ ଜଣକ ଲୋକଙ୍କ ବିରୋଧରେ ମିଥ୍ୟା କେସ୍ ଲଗାଉଛି । ମୁଁ ତାଙ୍କୁ ଚ୍ୟାଲେଞ୍ଜ କରୁଛି ଯେ, ଗୋଟିଏ ବର୍ଷରେ ତାଙ୍କର ଚାକିରି ଛଡାଇ ନେବି ଏବଂ ତାଙ୍କୁ ଜେଲ୍ ପଠାଇକି ହିଁ ରହିବି । ଦେଶର ଜନତା ଆପଣଙ୍କୁ ଜେଲ୍ ନଯିବା ଯାଏଁ ଚୁପ୍ ହୋଇ ବସିବେ ନାହିଁ । ଆମ ପାଖରେ ମିଥ୍ୟା କେସର ପ୍ରମାଣ ରହିଛି ବୋଲି ନୱାବ ମଲିକ କହିଛନ୍ତି ।

ଏନସିପି ନେତା କହିଛନ୍ତି, ଆମକୁ ତ ଜଣାଅ ତୁମର ଆକା କିଏ ? ସେ କିଏ ଯିଏ ଆପଣଙ୍କ ଉପରେ ଚାପ ପକାଉଛି ? ନୱାବ ମଲିକ କାହାରି ବାପକୁ ଡରେ ନାହିଁ । ଯେତେ ଚାପ ମୋ ଉପରେ ପକାଇବା କଥା ପକାଅ । ମୁଁ ସେ ପର୍ଯ୍ୟନ୍ତ ଚୁପ୍ ହୋଇ ବସିବି ନାହିଁ, ଯେ ପର୍ଯ୍ୟନ୍ତ ଆପଣଙ୍କୁ ଜେଲ୍ ନପଠାଇଛି । ମଲିକ ଆରମ୍ଭରୁ ହିଁ ମୁମ୍ବାଇ କାର୍ଡିଲିଆ ଜାହାଜ ଡ୍ରଗ୍ସ କେସରେ ଏନସିବିର ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଆସିଛନ୍ତି ।

ଏହା ପୂର୍ବରୁ ନୱାବ ମଲିକ ଅଭିଯୋଗ କରିଥିଲେ ଯେ, ସମୀର ୱାଙ୍ଖଡେ ଡ୍ରଗ୍ସ କେସ୍ ମାମଲାରେ ସେଲିବ୍ରିଟିଙ୍କୁ ଫସାଉଛନ୍ତି ଏବଂ ବଳପୂର୍ବକ ଟଙ୍କା ଆଦାୟ କରୁଛନ୍ତି । ସୁଶାନ୍ତ ସିଂହ ରାଜପୁତ କେସ୍ ପରେ ସମୀର ୱାଙ୍ଖଡେ ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟ ବଲିଉଡ ତାରକାଙ୍କ ବିରୋଧରେ ମିଥ୍ୟା ଡ୍ରଗ୍ସ ମାମଲା ରୁଜୁ କରିଥିଲେ । ଏହା ଉପରେ ସମୀରଙ୍କୁ ଜବାବ ଦେବାକୁ ପଡିବ ବୋଲି ମନ୍ତ୍ରୀ ନୱାବ ମଲିକ କହିଛନ୍ତି ।

 

Get real time updates directly on you device, subscribe now.