fbpx

NCERT ଜାରି କଲା ଗାଇଡଲାଇନ୍ସ: ଏଣିକି ଛାତ୍ରଛାତ୍ରୀଙ୍କର ମାନସିକ ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବେ ସ୍କୁଲ

ନୂଆଦିଲ୍ଲୀ: ପାଠ ପଢ଼ିବା ସହିତ ଏଣିକି ସ୍କୁଲର ଛାତ୍ରଛାତ୍ରୀମାନେ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବେ । ଏନେଇ ସମସ୍ତ ସ୍କୁଲ ପାଇଁ ଜାତୀୟ ଶୈକ୍ଷିକ ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି) ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ଏଥିରେ ଏକ ମେଣ୍ଟାଲ ହେଲଥ ଆଡଭାଇଜରୀ ପ୍ୟାନେଲ ଗଠନ, ସ୍କୁଲ ଆଧାରିକ ମାନସିକ ସ୍ୱାସ୍ଥ୍ୟ ପ୍ରୋଗ୍ରାମ, ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ପାଇଁ ଅଭିଭାବକଙ୍କ ସାମିଲ କରାଯିବା ଉପରେ ଉଲ୍ଲେଖ କରାଯାଇଛି ।

ସ୍କୁଲ ପିଲାଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ପରେ ଏନସିଇଆରଟି ଦ୍ୱାରା ‘ସ୍କୁଲ ଯାଉଥିବା ପିଲା ଓ କିଶୋରଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ପ୍ରାରମ୍ଭିକ ଚିହ୍ନଟ ଓ ଉପଚାର’ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । କିଛି ସପ୍ତାହ ପୂର୍ବରୁ ଏନେଇ ଏକ ସର୍ଭେ କରାଯାଇଥିଲା । ତେବେ ସ୍କୁଲ ପିଲାଙ୍କ ମଧ୍ୟରେ ଚାପ ଓ ଚିନ୍ତା ଆଦି କାରଣରୁ ପରୀକ୍ଷା, ରେଜଲ୍ଟ ପ୍ରଭାବିତ ହେଉଥିବା ଜଣାପଡ଼ିଥିଲା ।

ଜାରି ଗାଇଡଲାଇନ୍ସ ଅନୁଯାୟୀ, ପ୍ରତ୍ୟେକ ସ୍କୁଲରେ ଏକ ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା ପ୍ୟାନେଲ ସ୍ଥାପିତ କରାଯିବା ଉଚିତ । ଏହାର ଅଧ୍ୟକ୍ଷ ଦାୟିତ୍ୱରେ ରହିବେ ସ୍କୁଲର ପ୍ରଧାନଶିକ୍ଷକ । ଏହି ପ୍ୟାନେଲରେ ଶିକ୍ଷକ, ପିତାମାତା, ଛାତ୍ର ଓ ପୂର୍ବ ଛାତ୍ର ସଦସ୍ୟ ଭାବେ ରହିବେ । ଏହା ସଚେତନତା ସୃଷ୍ଟି କରିବା ସହ ଆଉ ଏକ ବାର୍ଷିକ ସ୍କୁଲ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନା ଲାଗୁ କରିବେ ।

ସ୍କୁଲରେ ପିଲାଙ୍କର ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାକୁ ଚିହ୍ନଟ କରିବା ପାଇଁ ନିୟମ ରହିବା ଜରୁରୀ । ପିଲାଙ୍କର ବ୍ୟବହାର, ମାଦକ ଦ୍ରବ୍ୟ ସେବା, ସେଲଫ-ହାର୍ମ, ଡିପ୍ରେସନ, ଚିନ୍ତାକୁ ଚିହ୍ନଟ କରି ପ୍ରାଥମିକ ଚିକିତ୍ସା କରିବା ଦରକାର । ଏକା ରହିବା, ସ୍କୁଲ ଯିବାକୁ ଅନିଚ୍ଛା ପ୍ରକଟ କରିବା, ଅବସାଦଗ୍ରସ୍ତ ରହିବା, ଆଚରଣରେ ପରିବର୍ତ୍ତନ, ଅତ୍ୟଧିକ ଇଣ୍ଟରନେଟ ବ୍ୟବହାର, ବୌଦ୍ଧିକ ଅକ୍ଷମତା, ଶିଖିବାରେ ଅକ୍ଷମତା ପରି ପ୍ରାରମ୍ଭିକ ଲକ୍ଷଣକୁ ଚିହ୍ନଟ କରିବା ପାଇଁ ଶିକ୍ଷକଙ୍କୁ ତାଲିମ ଦେବା ଦରକାର ।

Get real time updates directly on you device, subscribe now.