fbpx

କଣ ଚନ୍ଦ୍ରଶେଖରଙ୍କ ପରି ସଫଳ ହେବ ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ? ଜାଣନ୍ତୁ ଯାତ୍ରାରେ କେଉଁ ନେତାଙ୍କୁ ମିଳିଛି ସଫଳତା…

ନୂଆଦିଲ୍ଲୀ: ଯଦି ସ୍ଵାଧୀନ ଭାରତର ରାଜନୀତିର ଇତିହାସ ପୃଷ୍ଠା ଓଲଟାଇବା ତେବେ ଆପଣ ଜାଣିବାକୁ ପାଇବେ ଯେ, ପଦ ଯାତ୍ରାର ସକରାତ୍ମକ ଫଳାଫଳ ସ୍ଵାଧୀନତା ସଂଗ୍ରାମୀଙ୍କଠୁ ନେଇ ରାଜନେତାମାନଙ୍କୁ ମିଳି ଆସିଛି। ପଦ ଯାତ୍ରା ତୃଣମୂଳସ୍ତରରେ କର୍ମୀ ଏବଂ ନେତାମାନଙ୍କୁ ବାନ୍ଧି ରଖୁଥିବା ବେଳେ ଜନତାଙ୍କ ନିକଟତର ହେବା ଏବଂ ସେମାନଙ୍କ ସୁଖ ଦୁଃଖ ପଚାରି ବୁଝିବାରେ ଏକ ମାଷ୍ଟରଷ୍ଟ୍ରୋକ ସାବ୍ୟସ୍ତ ହୋଇଛି। ସ୍ଵାଧୀନତା ଲଢେଇ ସମୟରେ ସେ ଗାନ୍ଧୀଙ୍କ ଦାଣ୍ଡି ଯାତ୍ରା ହେଉ କି ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପଦ ଯାତ୍ରା କିମ୍ବା ବିଜେପିର ରଥଯାତ୍ରା। ଏହି ଯାତ୍ରା ଦେଶ ଜନମାନସକୁ ଜାଗ୍ରତ କରିବାରେ ବେଶ ସହାୟକ ହୋଇଥିଲା।

ଏବେ ଏହି ପଦଯାତ୍ରାର ପଦ ଚିହ୍ନରେ ବାହାରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଭାରତ ଯୋଡୋ ନାମରେ ସେ ନିଜର ଯାତ୍ରା ଆରମ୍ଭ କରି ସାରିଛନ୍ତି। ଯାତ୍ରାର ଉଦ୍ଦେଶ୍ୟ ଶୋଇ ରହିଥିବା କଂଗ୍ରେସକୁ ଜାଗ୍ରତ କରିବା, କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ବିରୋଧରେ କଂଗ୍ରେସକୁ ପ୍ରମୁଖ ବିରୋଧୀ ପାର୍ଟି ଭାବେ ଉପସ୍ଥାପିତ କରିବା ଏବଂ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ସଶକ୍ତ କରିବା। କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ୧୫୦ ଦିନିଆ ଭାରତ ଯୋଡୋ ଯାତ୍ରାରେ ବାହାରିଛନ୍ତି ରାହୁଲ ଗାନ୍ଧୀ। ଏହି ସମୟରେ ସେ ୩୦୦୦ କିମିରୁ ଅଧିକ ଦୂରତା ଅତିକ୍ରମ କରିବେ। ସେପ୍ଟେମ୍ବର ୭ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ସପ୍ତମ ଦିନରେ ପହଞ୍ଚିଛି। ତାଙ୍କ ଯାତ୍ରାକୁ ନେଇ ଆରମ୍ଭରୁ ନେଇ ଏ ପର୍ଯ୍ୟନ୍ତ ଅନେକ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି। ରାହୁଲଙ୍କ ମହଙ୍ଗା ଟି ସାର୍ଟ ହେଉ କି, ପାଦ୍ରୀଙ୍କ ସହ ସାକ୍ଷାତ କିମ୍ବା ତାଙ୍କ କଣ୍ଟେନର । ଏସବୁ ନେଇ ବିବାଦରେ ମଧ୍ୟ ରହିଛନ୍ତି ରାହୁଲ।

ପୂର୍ବରୁ ଦେଶର ଯାତ୍ରା ଉପରେ ନଜର ପକାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ୧୯୮୩ରେ କନ୍ୟାକୁମାରୀ ଦିଲ୍ଲୀ ପର୍ଯ୍ୟନ୍ତ ୪୦୦୦ କିଲୋମିଟରର ପଦ ଯାତ୍ରା କରିଥିଲେ। ତାଙ୍କ ଯାତ୍ରାକୁ ଜନତାଙ୍କ ବ୍ୟାପକ ଜନ ସମର୍ଥନ ମିଳିଥିଲା। ଆବାଳ ବୃଦ୍ଧ ବନିତା ସମସ୍ତେ ସ୍ଵତଃପ୍ରବୃତ ଭାବେ ତାଙ୍କ ପଦରେ ଯୋଡି ହୋଇ ଚାଲିଥିଲେ। ଶ୍ରଦ୍ଧାରେ ତାଙ୍କୁ ସୁନାଗହନା ଠାରୁ ଆରମ୍ଭକରି ନିଜ ସାମର୍ଥ ହିସାବରେ ଦେଇ ଦେଉଥିଲେ। ଚନ୍ଦ୍ରଶେଖରଙ୍କ ଯାତ୍ରାର ଉଦ୍ଦେଶ ଥିଲା ଭାରତକୁ ଚିହ୍ନିବା ଏବଂ ଲୋକଙ୍କୁ ଜାଗ୍ରତ କରିବା। ସେହିପରି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ମଧ୍ୟ ରଥ ଯାତ୍ରା ବାହାର କରିଥିଲେ। ତାଙ୍କର ରଥ ଯାତ୍ରା ୧୯୯୦ ସେପ୍ଟେମ୍ବର ୨୫ରୁ ଆରମ୍ଭ ହୋଇ ଅକ୍ଟୋବର ୩୦ରେ ସଂପନ୍ନ ହୋଇଥିଲା। ବିଜେପିର ଏହି ରଥ ଯାତ୍ରା ଦେଶ ରାଜନୀତିର କାୟାକଳ୍ପ ବଦଳାଇ ଦେଇଥିଲା। ଦେଶରେ ବିଜେପିକୁ ନିଜର ସ୍ଥିତି ସୁଦୃଢ କରିବାରେ ମୂଳଦୁଆ ପକାଇଥିଲା।
ଯାତ୍ରାର ପ୍ରଭାବ ଏମିତି ଥିଲା ଯେ, ୨୦୦୩ରେ ଓ୍ଵାଇଏସ ଆର ୧୫୦୦ କିମି ଯାତ୍ରା କରିଥିଲେ ଏବଂ ୨୦୦୪ରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଚନ୍ଦ୍ରବାବୁ ନାଇଡୁ ୨୦୧୩ରେ ୧୭୦୦ କିଲୋମିଟର ଯାତ୍ରା ବାହାର କରିଥିଲେ ଏବଂ ୨୦୧୪ରେ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ। ୨୦୧୭ରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ୩୩୦୦ କିମିର ପଦ ଯାତ୍ରା କରିଥିଲେ ଏବଂ ୨୦୧୮ରେ କଂଗ୍ରେସ ମଧ୍ୟ ପ୍ରଦେଶରେ ସରକାର ଗଠନ କରିପାରିଥିଲା। ପୁଣି ଜଗନମୋହନ ୨୦୧୭ରେ ୩୬୪୮ କିମିର ଯାତ୍ରା କରିଥିଲେ ଏବଂ ୨୦୧୯ରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଥିରୁ ସ୍ପଷ୍ଟ ଯେ, ଯାତ୍ରାର ରାଜନୈତିକ ସଫଳତା ମଧ୍ୟ ମିଳିଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ, କଣ ରାହୁଲଙ୍କ ପଦ ଯାତ୍ରା କଣ ସଫଳ ହେବ ? ସେ କଣ ଚନ୍ଦ୍ରଶେଖରଙ୍କ ପରି ଜନତାଙ୍କୁ ନିଜ ପ୍ରତି ଆକର୍ଷିତ କରିପାରିବେ? କଣ ଏହି ଯାତ୍ରା ଜରିଆରେ କଂଗ୍ରେସକୁ ଦେଶର ପ୍ରମୁଖ ବିରୋଧୀ ଦଳ ଭାବେ ଉପସ୍ଥାପିତ କରି ପାରିବେ ? ଏସବୁ ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଏହି ଭାରତ ଯୋଡୋ ଯାତ୍ରାରେ ରାହୁଲ ବିଜେପି ଶାସିତ ରାଜ୍ୟ ଉପରେ କମ୍ ଫୋକସ କରିଛନ୍ତି। ତାଙ୍କର ଏହି ଯାତ୍ରା ନା ଗୁଜରାଟ ଦେଇ ଗତି କରୁଛି ନା ହିମାଚଳ ପ୍ରଦେଶ। ଏହି ଦୁଇ ରାଜ୍ୟରେ ପୁଣି ନିର୍ବାଚନ ହେବାକୁ ଯାଉଛି। ଖବର ଏହା ମଧ୍ୟ ରହିଛି ଯେ, ପାର୍ଟି ପ୍ରାୟ ୧୯ ଦିନ ପଦ ଯାତ୍ରା କରିବ ଏବଂ ୪୫୦ କିମି ବାହାନରେ ଯାତ୍ରା କରିବ। ରାଜନୈତିକ ବିଶେଷଜ୍ଞଙ୍କ ମୁତାକବ ରାହୁଲଙ୍କୁ ଯଦି ଲୋକଙ୍କ ସହ ଅଧିକ ଜଡିତ ରହିବାର ଅଛି ଏବଂ ବାସ୍ତବରେ ନିଜର ଭାରତ ଯୋଡୋ ଯାତ୍ରାକୁ ସଫଳ କରିବାର ଅଛି ତେବେ ଯେତେ ସମ୍ଭବ ପଦ ଯାତ୍ରା ଉପରେ ଗୁରୁତ୍ଵ ଦେବା ଉଚିତ୍। ବିଜେପି ଶାସିତ ରାଜ୍ୟ ଦେଇ ନିଜର ଯାତ୍ରାକୁ ନେଇଯିବା ଉଚିତ୍। ଏମିତି କଲେ ହିଁ ଲୋକଙ୍କ ସହ ଅଧିକ ମିଶିବା ସହ ସେମାନଙ୍କର ସମର୍ଥନ ମିଳି ପାରିବ।

ଏହି ଯାତ୍ରାକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ରାହୁଲଙ୍କୁ ଟାର୍ଗେଟ୍ କରିବା ପାଇଁ ବିଜେପି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମାଙ୍କୁ ଆଗକୁ ଆଣିଛି। କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ ମଧ୍ୟ ବିଜେପିକୁ ପାଲଟା ଜବାବ ଦେଉଛନ୍ତି। ଏହି ସବୁ ଭିତରେ ଦେଖିବା ବାକି ରହିଲା ଯେ, ଆଗାମୀ ସମୟରେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରା କେଉଁ ଦିଗରେ ଯିବ ? କଣ ତାଙ୍କର ଯାତ୍ରା ସମସ୍ତ ବିବାଦକୁ ପଛରେ ପକାଇ ଦେଶବାସୀଙ୍କ ସମର୍ଥନ ହାସଲ କରିବ ?

Get real time updates directly on you device, subscribe now.