fbpx
BJD SKY
BJD SKY

ଏଣିକି ଫିଲ୍ମ, ଟିଭି ସିରିୟଲରେ ଶିଶୁଙ୍କୁ ମନଇଚ୍ଛା ବ୍ୟବହାର କରାଯାଇ ପାରିବନି, NCPCR ଜାରିକଲେ ଗାଇଡଲାଇନ୍

BJD

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଛୋଟ ପିଲାଙ୍କୁ ସିନେମା, ଟିଭି ସିରିୟଲ ଆଦିରେ ବିପଜ୍ଜନକ ଭାବେ ନିୟୋଜିତ କରାଯାଇଥାଏ । ଶିଶୁଙ୍କ ଅଭିନୟ ନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର)ଙ୍କ ଗାଡଇଲାଇନକୁ ଉଲ୍ଲଂଘନ କରାଯାଇଥାଏ । ବିଶେଷ କରି ଓଟିଟି ପ୍ଲାଟଫର୍ମରେ ଛୋଟ ଶିଶୁମାନଙ୍କୁ ଅଶ୍ଲୀଳ ଫିଲ୍ମରେ ବ୍ୟବହାର କରାଯାଇଥାଏ । ଏହା ସେମାନଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି କରିବା ସହ ସମାଜକୁ ଏକ ଖରାପ ବାର୍ତ୍ତା ଯାଇଥାଏ ।

ତେବେ ସମସ୍ତ ଦିଗକୁ ବିଚାର କରି ଏନସିପିସିଆର ନୂଆ ଗାଇଡଲାଇନ୍ ଆଣିଛନ୍ତି । ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ଏ କ୍ଷେତ୍ରରେ ଦୋଷୀଙ୍କୁ ଅତିକମରେ ୬ ମାସ ଓ ଅତିବେଶରେ ୨ ବର୍ଷ ଜେଲଦଣ୍ଡ ହୋଇପାରେ । ଏଥିସହିତ ୨୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବାକୁ ପଡ଼ିବ ।

ଗାଡଇଲାଇନ ଅନୁଯାୟୀ, ମନୋରଞ୍ଜନ ଶିଳ୍ପରେ ଶିଶୁଙ୍କୁ ବ୍ୟବହାର ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧୀନରେ ପଞ୍ଜିକୃତ କରିବାକୁ ପଡ଼ିବ । ସେମାନଙ୍କ ପାଇଁ ସୁସ୍ଥ ପରିବେଶକୁ ଦୃଷ୍ଟି ଦିଆଯିବ, ପାଠପଢ଼ା ବ୍ୟାଘାତ ହେବନାହିଁ, ଠିକ୍ ସମୟରେ ପେମେଣ୍ଟ ମିଳିବ । ଶିଶୁମାନଙ୍କୁ ଠିକ୍ ସମୟରେ ଖାଇବା ଦିଆଯିବ । ଶିଶୁ କଳାକାରମାନେ ବଡ଼ ଲୋକଙ୍କ ସହିତ ଡ୍ରେସିଂ ରୁମ୍ ଶେୟାର କରିବେ ନାହିଁ । ପ୍ରାଯୋଜନା ସଂସ୍ଥା ଶିଶୁଙ୍କ ଶାରୀରିକ ଫିଟନେସ ସାର୍ଟିଫିକେଟ ଓ ପୋଲିସ ଭେରିଫିକେସନ ସବମିଟ୍ କରିବେ ।

ଅଭିନୟ ସ୍ଥାନରେ ଶିଶୁଙ୍କ ପିତାମାତା/ ଅଭିଭାବକ ଉପସ୍ଥିତ ରହିବେ । ୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଜଣେ ପଞ୍ଜିକୃତ ନର୍ସ ସବୁ ବେଳେ ଉପସ୍ଥିତ ରହିବେ । ଶିଶୁଙ୍କର କ୍ଷତି କରୁଥିବା ଖରାପ ଆଲୋକ, କସମେଟିକ୍ସ ପ୍ରତି ଧ୍ୟାନ ଦିଆଯିବ । ପ୍ରତି ୩ ଘଣ୍ଟାରେ ଥରେ ସେମାନେ ବିଶ୍ରାମ ନେବେ । କୌଣସି ଶିଶୁ ୬ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରିବେ ନାହିଁ । ସମସ୍ତ ଫିଲ୍ମ, ଟିଭି, ରିୟଲିଟି ଶୋ, ଓଟିଟି ପ୍ଲାଫର୍ମ, ନ୍ୟୁଜ୍, ସୋସିଆଲ ମିଡ଼ିଆ କଣ୍ଟେଣ୍ଟ ନିର୍ମାଣ କ୍ଷେତ୍ରରେ ଏହି ନିୟମ କାର୍ଯ୍ୟକାରୀ ହେବ ।

Get real time updates directly on you device, subscribe now.