fbpx

୨୦୨୦ ପାଇଁ ଏନସିଆରବି ଡାଟା: କମିଛି ହତ୍ୟା ଓ ମହିଳା ବିରୋଧୀ ହିଂସା, ସାଇବର ଅପରାଧରେ ଅଭିବୃଦ୍ଧି

ନୂଆଦିଲ୍ଳୀ: ଜାତୀୟ ଅପରାଧିକ ରେକର୍ଡ ବ୍ୟୁରୋ (ଏନସିଆରବି) ପକ୍ଷରୁ ବାର୍ଷିକ ଅପରାଧିକ ରେକର୍ଡ ତାଲିକା ପ୍ରକାଶ ପାଇଛି । ସାମଗ୍ରିକ ଭାବରେ ଅପରାଧ ହାର ହ୍ରାସ ପାଇଥିବା ବେଳେ ମହିଳା ବିରୋଧୀ ହିଂସା ଏବଂ ହତ୍ୟା ମାମଲା ଗୁଡିକରେ ହ୍ରାସ ଘଟିଛି । ତେବେ ଅନ୍ୟପକ୍ଷରେ ସାଇବର ଅପରାଧ ପ୍ରାୟ ୧୧ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୯ ଅପେକ୍ଷା ସାମଗ୍ରିକ ଅପରାଧ ସଂଖ୍ୟାରେ ପ୍ରାୟ ୮.୩ ପ୍ରତିଶତ ହ୍ରାସ ଘଟିଛି । ମଙ୍ଗଳବାର ଏନସିଆରବି ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି ।
ମହିଳା ବିରୋଧୀ ହିଂସା ସଂଖ୍ୟାରେ ପ୍ରାୟ ୮.୩ ପ୍ରତିଶତ ହ୍ରାସ ଘଟିଛି । ୨୦୧୯ରେ ସମୁଦାୟ ୪ ଲକ୍ଷ ୫ ହଜାର ୩୨୬ଟି ମହିଳା ବିରୋଧୀ ମାମଲା ଦାୟର ହୋଇଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୩ ଲକ୍ଷ ୭୧ ହଜାର ୫୦୯ରେ ପହଞ୍ଚିଛି । ମହିଳାଙ୍କ ବିରୋଧରେ ହୋଇଥିବା ହିଂସାର ୩୦ ପ୍ରତିଶତ ସ୍ୱାମୀଙ୍କ ଦ୍ୱାରା ହୋଇଥିବା ବେଳେ ଅନ୍ୟମାନଙ୍କ ଦ୍ୱାରା ଏହି ସଂଖ୍ୟା ୨୩ ପ୍ରତିଶତ ରହିଥାଏ । ୧୬.୮ ପ୍ରତିଶତ ମହିଳାଙ୍କୁ ଅପହରଣ କରାଯାଉଥିବା ବେଳେ ୭.୫ ପ୍ରତିଶତ କ୍ଷେତ୍ରରେ ମହିଳା ଦୁଷ୍କର୍ମର ଶିକାର ହୋଇଥାନ୍ତି । ୨୦୨୦ ତୁଳନାରେ ହତ୍ୟା ମାମଲାରେ ୯ ପ୍ରତିଶତ ହ୍ରାସ ଘଟିଛି । ସାଇବର କ୍ରାଇମରେ ୧୧.୮ ପ୍ରତିଶତର ଅଭିବୃଦ୍ଧି ଘଟିଥିବା ନେଇ ସୂଚନା ମିଳିଛି । ୨୦୧୯ରେ ସାଇବର କ୍ରାଇମ ସମ୍ପର୍କିତ ୪୪୭୩୫ ମାମଲା ରୁଜୁ ହୋଇଥିବା ବେଳେ୨୦୨୦ରେ ଏହି ସଂଖ୍ୟା ୫୦୦୩୫କୁ ବୃଦ୍ଧି ପାଇଛି ।ଏହି ମାମଲା ଗୁଡିକ ମଧ୍ୟରୁ ୬୦.୦୨ ପ୍ରତିଶତ ଅର୍ଥ ହଡପ ପାଇଁ ହୋଇଥିବା ବେଳେ ୬.୬ ପ୍ରତିଶତ ଯୌନ ଶୋଷଣ ଏବଂ ଅର୍ଥ ଆଦାୟ ପାଇଁ ୪.୯ ପ୍ରତିଶତ ମାମଲା ରୁଜୁ ହୋଇଛି ।
ନକଲି ନୋଟ ମାମଲାରେ ମଧ୍ୟ ବିଶେଷ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ୧୯୦ ପ୍ରତିଶତ ଅଭିବୃଦ୍ଧି ସହିତ ୨୦୨୦ରେ ୮ଲକ୍ଷ ୩୪ ହଜାର ୯୪୭ ନକଲି ନୋଟ ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ୯୨ କୋଟି ୧୭ ଲକ୍ଷ ୮୦ ହଜାର ୪୮୦ ରହିଛି । ୨୦୧୯ରେ ନକଲି ନୋଟ ସଂଖ୍ୟା ୨ଲକ୍ଷ ୮୭ ହଜାର ୪୦୪ ରହିଥିବା ବେଳେ ଏହାର ମୂଲ୍ୟ ୨୫ କୋଟି ୩୯ ଲକ୍ଷ ୯ ହଜାର ୧୩୦ ଟଙ୍କା ରହଇଥିଲା । ଅନୂସୂଚିତ ଜାତି ଓ ଜନଜାତି ବିରୋଧୀ ହିଂସା ୯ ପ୍ରତିଶତ ବଢିଥିବା ଜଣାପଡିଛି । ସେହିପରି ପଶ୍ଚିମବଙ୍ଗ ଓ ଓଡ଼ିଶାରେ ମହିଳା ବିରୋଧୀ ହିଂସା ବଢିଥିବା ଜଣାପଡିଛି ।

Get real time updates directly on you device, subscribe now.