fbpx

ଭାରତୀୟ ବକ୍ସର ନୀତୁ ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନ: ଫାଇନାଲରେ ମଙ୍ଗୋଲିଆ ବକ୍ସରଙ୍କୁ ହରାଇ ଜିତିଲେ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଆଜି ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପରେ ଭାରତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି । ଭାରତୀୟ ବକ୍ସର ନୀତୁ ଘାଙ୍ଘାସ ୪୮ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନୀତୁ ଫାଇନାଲରେ ମଙ୍ଗୋଲିଆର ବକ୍ସର ଲୁତସାଇଖାନ ଅଲତାନସେତସେଗଙ୍କୁ ୫-୦ ବ୍ୟବଧାନରେ ଏକତରଫା ଭାବେ ପରାସ୍ତ କରି ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ।

ହରିୟାଣାର ୨୨ ବର୍ଷୀୟା ନୀତୁ ଗତ ବର୍ଷ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହି ବିଜୟ ଫଳରେ ନୀତୁ ବିଶ୍ୱ ଚାମ୍ପିୟନଶିପ ହାସଲ କରିବାରେ ଷଷ୍ଠ ଭାରତୀୟ ବକ୍ସର ହୋଇଛନ୍ତି । ନୀତୁ ଆଜିର ଲଢ଼େଇରେ ଶାନଦାର ଲଢ଼େଇ କରି ପ୍ରତିପକ୍ଷ ଲୁତସାଇଖାନଙ୍କୁ ୫-୦ ବ୍ୟବଧାନରେ ମାତ୍ ଦେଇଥିଲେ । ଆଜି ନୀତୁ ନ୍ୟୁନତମ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ ।

ମହିଳା ବକ୍ସିଂରେ ବିଶ୍ୱ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିବା ଅନ୍ୟ ବକ୍ସରଙ୍କ ମଧ୍ୟରେ ମେରିକମ ଛଅ ଥର, ସରିତା ଦେବୀ ଥରେ, ଜେନି ଆର.ଏଲ ଥରେ, ଲେଖା କେସି ଥରେ, ନିକହତ ଜରିନ ଥରେ ଏହି ସୌଭାଗ୍ୟ ଅର୍ଜନ କରିଥିଲେ । ଏହା ପୂର୍ବରୁ ସେମିଫାଇନାଲରେ ନୀତୁ ବାଲ୍କିବୋବାଙ୍କୁ ହରାଇଥିଲେ । ସୁଚୁତର ପ୍ରହାର ଓ ଅସୀମ ଧୈର୍ଯ୍ୟ ବଳରେ ନୀତୁ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାରେ ଫାଇନାଲରେ ପହଞ୍ଚିଥିଲେ । ଗତବର୍ଷ ବିଶ୍ୱ ଚାମ୍ପିୟନଶିପରେ ନୀତୁ କ୍ୱାର୍ଟରଫାଇନାଲରେ ବାଲ୍କିବୋବାଠାରୁ ହାରି ଯାଇଥିବା ବେଳେ ଚଳିତ ବର୍ଷ ପ୍ରତିଶୋଧ ନେଇପାରିଛନ୍ତି ।

Get real time updates directly on you device, subscribe now.