କିଟ୍ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲା, ସାମ୍ନାକୁ ଆସିଲା ପରିଚୟ
କିଟ୍ ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ରୀ ଆତ୍ମହତ୍ୟା ।
ଭୁବନେଶ୍ବର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଗତକାଲି ସନ୍ଧ୍ୟା 7ଟାରେ ହଷ୍ଟେଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ଛାତ୍ରୀଙ୍କର ପରିଚୟ ସାମ୍ମାକୁ ଆସିଛି । ନେପାଳ ବୀରଗଞ୍ଜର ଛାତ୍ରୀ ପ୍ରୀଶା ଶାହା ବୋଲି ଜଣାପଡ଼ିଛି ।
ରାତି ପ୍ରାୟ 8ଟା 10ରେ ଏହି ଘଟଣା ନେଇ ଇନଫୋସିଟି ଥାନାକୁ ସୂଚନା ମିଳିଥିଲା । ଛାତ୍ରୀଙ୍କ ପରିବାର ଲୋକଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯାଇଥିଲା ।
ଖବରପାଇବା ପରେ ଇନଫୋସିଟି ଥନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଛାତ୍ରୀଙ୍କ ପରିବାରକୁ ସହାୟତା ଯୋଗାଇବା ସହିତ ମୃତ୍ୟୁର କାରଣ ଖୋଜିବାକୁ ଚେଷ୍ଟା କରୁଥିବା କଥା କହିଛନ୍ତି ସରକାର ।
ତେବେ କିଟ୍ ବିଶ୍ବବିଦ୍ୟାଳୟରେ ବିଟେକ୍ ପ୍ରଥମ ବର୍ଷର ଛାତ୍ରୀ ଥିଲେ ପ୍ରୀଶା । ଗତ ଫେବୃଆରୀ ମାସରେ କିଟରେ ଏକ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ ।
ଯାହାକୁ ନେଇ ସାରା ଦେଶରେ ହଲଚଲ ହେବା ସହିତ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା । ବର୍ତ୍ତମାନ ପୁଣି ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ମୋଡ଼ କେଉଁ ଆଡ଼େ ଯାଉଛି ତାହା ଦେଖିବାକୁ ବାକି ରହିଲା ।