fbpx

ଦିଲ୍ଲୀରେ ତିଆରି ହେବ ନୂଆ ସେନା ଭବନ: ହଟାଯିବ ୫୦୦ ଗଛ, ଲଗାଯିବ ୫୭୯୦ ଚାରା, ପ୍ରସ୍ତାବକୁ ମିଳିଲା CMଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏକ ନୂଆ ସେନା ଭବନ ନିର୍ମାଣ ହେବା ନେଇ ରାସ୍ତା ପରିସ୍କାର ହୋଇଯାଇଛି । ଏଥିପାଇଁ ଦିଲ୍ଲୀ କ୍ୟାଣ୍ଟରେ ୫୦୦ ଗଛକୁ ହଟାଯିବ । ଏଥିମଧ୍ୟରୁ ୪୭୬ଟି ଗଛକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ଓ ୧୦୩ଟି ଗଛକୁ କଟାଯିବ । ଏଥିସହିତ ୫୭୯୦ଟି ନୂଆ ଚାରା ଲଗାଯିବ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ସୂଚନା ମୁତାବକ, ଦିଲ୍ଲୀ କ୍ୟାଣ୍ଟରେ ଏକ ସ୍ଥଳ ସେନା ଭବନ ନିର୍ମାଣ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ସରକାରଙ୍କ ନିକଟକୁ ପଠାଯାଇଥିଲା । ମନ୍ତ୍ରଣାଳୟ ସେନା ପାଇଁ ଅତ୍ୟାଧୁନିକ ସୁବିଧା ସହିତ ସାଇଟକୁ ବିକଶିତ କରିବାକୁ ଚାହୁଁଛି । ଏହି ନିର୍ମାଣ କାର୍ଯ୍ୟରେ କିଛି ଗଛ ପାଇଁ ବାଧା ସୃଷ୍ଟି ହୋଇଥିଲା । ସାଇଟକୁ ଖାଲି କରିବା ପାଇଁ ୫୭୯ଟି ଗଛକୁ ଅନ୍ୟତ୍ର ନିଆଯିବା ଓ କାଟିବାକୁ ମଞ୍ଜୁରୀ ପ୍ରଦାନ କରିବାକୁ ପ୍ରସ୍ତାବରେ କୁହାଯାଇଥିଲା ।
ଅନ୍ୟ ପକ୍ଷରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି, ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରଖିଥିଲେ । ଏହାପରେ ଭାରତୀୟ ସେନାକୁ ଅତ୍ୟାଧୁନିକ କରିବାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଷ୍ଟହିତ ପାଇଁ ସିଏମ ଏନେଇ ସହମତି ପ୍ରକାଶ କରିଥିଲେ । ଏହି ମଞ୍ଜୁରୀ ସେନାର ଆଧୁନିକୀକରଣ କ୍ଷେତ୍ରରେ ସହାୟତା ମିଳିବ ଓ ସେନାକୁ ଅଧିକ ସୁବିଧା ମିଳିପାରିବ ।
ଦିଲ୍ଲୀ ସରକାରଙ୍କ ଦ୍ୱାରା ସ୍ୱୀକୃତି ପାଇଥିବା ପ୍ରସ୍ତାବ ମୁତାବକ, ଗଛଗୁଡ଼ିକୁ ହଟାଇବା ଓ ପ୍ରତ୍ୟାରୋପଣ କରାଯିବା ପରେ ଦିଲ୍ଲୀର ମାଟି ଓ ଜଳବାୟୁ ଅନୁକୂଳ ବିଭିନ୍ନ ପ୍ରଜାତିର ଚାରା ଲଗାଯିବ । ସେଥିମଧ୍ୟରେ ନିମ, ପିପଲ, ଗୁଲର, ବରଗଛ, ଅର୍ଜୁନ ଆଦି ଚାରା ସ୍ଥାନ ପାଇବ । ଅଣ ବନ ଭୂମି ଉପରେ ୬-୮ ଫୁଟ ଉଚ୍ଚତା ବିଶିଷ୍ଟ ଚାରା ଲଗାଯିବ ।

Get real time updates directly on you device, subscribe now.