fbpx

କଂଗ୍ରେସରୁ ବିଦା ହେବେ ପାଇଲଟ! ଦଳ ଭିତରେ ରହି ଚେର କାଟୁଥିବା ନେଇ ଉଠିଲା ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ରାଜସ୍ଥାନ କଂଗ୍ରେସରେ ଦେଖା ଦେଇଛି ବିବାଦ । ସଚିନ ପାଇଟଲଙ୍କ କିଛି ସହଯୋଗୀଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ପରେ ଏହି ବିବାଦ ଥମିଯିବ ବୋଲି ସମସ୍ତେ ଆଶା କରୁଥିଲେ । ତେବେ ଏବେ ପୁଣି ଏକ ନୂଆ ଇସ୍ୟୁ ଉଠିଛି । କ୍ୟାବିନେଟରେ ମୋଟ ୧୫ ଜଣ ମନ୍ତ୍ରୀ ଓ ୬ ଜଣ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ସ୍ଥାନ ପାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାମକେଶ ମୀଣା ପାଇଲଟଙ୍କୁ ନେଇ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ପାଇଲଟଙ୍କ ପାଇଁ କଂଗ୍ରେସର ବହୁତ କ୍ଷତି ଘଟୁଛି, ତେଣୁ ତାଙ୍କୁ ରାଜ୍ୟରୁ ବିତାଡ଼ିତ କରାଯାଉ ବୋଲି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ମୀଣା ।

ମୀଣାଙ୍କ ମତରେ, ପାଇଲଟଙ୍କୁ ସମର୍ଥନ କରୁଥିବା ଅନେକ ନିର୍ଦଳୀୟ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାବିନେଟରେ ସ୍ଥାନ ଦିଆଯାଇଛି । ଏବେ ପାଇଲଟଙ୍କ ଦାବି ପୂରଣ ହୋଇସାରିଛି । ତେଣୁ ଏବେ ସେ ରାଜ୍ୟ ପରିତ୍ୟାଗ କରିବା ଦରକାର । ଗତ ୨୦୧୮ ବିଧାନସଭା ନିର୍ବାଚନ ସମୟରେ ପାଇଲଟଙ୍କ ପାଇଁ କଂଗ୍ରେସକୁ ୫୦ଟି ସିଟ କମ୍ ମିଳିଥିଲା । ଯଦି ଆଗାମୀ ୨୦୨୩ ନିର୍ବାଚନ ସମୟରେ ପାଇଲଟ ଦଳ ସହିତ ରହିବେ, ତେବେ ଦଳକୁ ବହୁତ କ୍ଷତି ସହିବାକୁ ପଡ଼ିବ । ଏପରି ରାଜନେତା ଦଳରେ ରହିଲେ ନିର୍ବାଚନରେ କଂଗ୍ରେସର ବହୁତ ଘାଟା ହେବ । ପାଇଲଟଙ୍କ ସହଯୋଗୀଙ୍କୁ ମନ୍ତ୍ରୀ କରିବାକୁ ଯାଇ କିଛି ବିଧାୟକ ପଦ ପାଇବାରୁ ବଞ୍ଚିତ ହୋଇଥିବା ମୀଣା କହିଛନ୍ତି । ସୂଚନାଯୋଗ୍ୟ ଯେ, କ୍ୟାବିନେଟରେ କେବଳ ୪ଟି ଜିଲ୍ଲାର ବିଧାୟକଙ୍କୁ ଅଧା ମନ୍ତ୍ରୀ ପଦ ଦିଆଯାଇଥିବା ବେଳେ ୧୬ଟି ଜିଲ୍ଲାରୁ କାହାକୁ ସ୍ଥାନ ମିଳିନାହିଁ । ତେଣୁ କିଛି ବିଧାୟକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅପରପକ୍ଷେ, ପାଇଲଟଙ୍କ ସମର୍ଥକଙ୍କୁ ସ୍ଥାନ ମିଳିଥିଲେ ହେଁ ତାଙ୍କୁ କୌଣସି ପଦ ବା ଦାୟିତ୍ୱ ଦିଆଯାଇ ନଥିବାରୁ ତାଙ୍କର ରାଜନୈତିକ ଭବିଷ୍ୟତ ଦ୍ୱନ୍ଦ୍ୱ ମଧ୍ୟରେ ରହିଛି । ମୀଣାଙ୍କ ଏହି ଅଭିଯୋଗକୁ ଦଳ ଗୁରୁତ୍ୱର ନେଇ ପାଇଲଟଙ୍କ ଉପରେ କିଛି ଆକ୍ସନ ନେବ କି ନା ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.