fbpx

ବୁଧବାରଠୁ ଜୁନିୟର ହକି ବିଶ୍ୱକପ୍‌: ଭାରତୀୟ ଜୁନିୟର ଦଳର ଚାଲିଛି ଜୋରଦାର୍‌ ଅଭ୍ୟାସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆସନ୍ତା ୨୪ ତାରିଖରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ଜୁନିୟର ହକି ବିଶ୍ୱକପ ଖେଳିବା ପାଇଁ ସମସ୍ତ ଅଂଶ ଗ୍ରହଣକାରୀ ଦଳ ଏଠାରେ ପହଞ୍ଚି ସାରିଥିବା ବେଳେ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି । ତେବେ ଭାରତୀୟ ସିନିୟର ଦଳର ଏଠାରେ ପ୍ରଶିକ୍ଷଣ ଶିବିର ଚାଲିଥିବା ଦୃଷ୍ଟିରୁ ଜୁନିୟର ଦଳ ବିଶେଷ ଲାଭବାନ ହୋଇଛନ୍ତି ।

ମୁଖ୍ୟ କୋଚ ଗ୍ରାହାମ ରିଡ୍‌ କହିଛନ୍ତି ଯେ, ସିନିୟର ଦଳ ବିରୋଧରେ ଭାରତୀୟ ଜୁନିୟର ଦଳ ଅଭ୍ୟାସ ମ୍ୟାଚ ଖେଳିବା ଦ୍ୱାରା ଆଗାମୀ ଜୁନିୟର ବିଶ୍ୱକପ ପାଇଁ ଖେଳାଳିଙ୍କ ମଧ୍ୟରେ ବଡ ଉତ୍ସାହ ସୃଷ୍ଟି ହୋଇଛି । କାରଣ ଏପରି ସୁଯୋଗ ମିଳିବା ଦ୍ୱାରା ଭାରତୀୟ ଜୁନିୟର ଦଳ ବିଶ୍ୱକପ ପୂର୍ବରୁ ଭଲ ଅଭ୍ୟାସ କରି ପାରିଲେ । ଭାରତ ୨୦୧୬ରେ ଅନୁଷ୍ଠିତ ଶେଷ ଜୁନିୟର ବିଶ୍ୱକପରେ ଚାମ୍ପିୟନ ହୋଇଥିଲା । ବେଲଜିୟମ ପରି ଶକ୍ତିଶାଳୀ ଦଳକୁ ପରାସ୍ତ କରି ଟାଇଟଲ ହାସଲ କରିଥିବା ଭାରତୀୟ ଜୁନିୟର ଦଳ ପୂର୍ବତନ ଚାମ୍ପିଅନ ଭାବେ ମଇଦାନକୁ ଓହ୍ଲାଇବେ ।

ତେବେ କରୋନା ଯୋଗୁ ଜୁନିୟର ଦଳ ଅଧିକ ଅନ୍ତର୍ଜାତୀୟ ପ୍ରତି ଯୋଗିତା ଖେଳିବା ସୁଯୋଗ ପାଇଲେ ନାହିଁ । ତେଣୁ ବିଶ୍ୱକପ ପ୍ରସ୍ତୁତି ପାଇଁ ଏହା ବଡ ସମସ୍ୟା ସୃଷ୍ଟି କଲା । ମାତ୍ର ଗତ କେତେଦିନ ଧରି ଭାରତୀୟ ସିନିୟର ଦଳ ସହିତ ଅଭ୍ୟାସ ମ୍ୟାଚ ଖେଳିବା ସୁଯୋଗ ବିଶେଷ ଉତ୍ସାହ ସୃଷ୍ଟି କରିଛି । ବିବେକ ସାଗରଙ୍କ ନେତୃତ୍ୱରେ ପରିଚାଳିତ ଭାରତୀୟ ଜୁନିୟର ଦଳ ଭଲ ପ୍ରଦର୍ଶନ କରିବେ ବୋଲି ଦୃଢ଼ ବିଶ୍ୱାସ । ଭାରତ ପ୍ରଥମ ମ୍ୟାଚରେ ଫ୍ରାନ୍ସ ସହିତ ମୁକାବିଲା କରିବ । ତେଣୁ ଏହି ମ୍ୟାଚରେ ବିଜୟୀ ହେବା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ।

Get real time updates directly on you device, subscribe now.