fbpx

ରାଜ୍ୟରେ ଖୋଲିବ ସିନେମା ହଲ୍, ଥିଏଟର୍ ଓ ମନ୍ଦିର; ଜାରି ହେଲା ନୂତନ ଗାଇଡଲାଇନ୍

ମୁମ୍ବାଇ: ମହାରାଷ୍ଟ୍ର ସରକାର ଏବେ ଧାର୍ମିକ ସ୍ଥଳ ପରେ ସିନେମାଘର, ଥିଏଟର୍ ଖୋଲିବାପାଇଁ ଅନୁମତି ଦେଇଛନ୍ତି । ଏଥିପାଇଁ ନୁତନ ଗାଇଡଲାଇନ୍ ଜାରି କରାଯାଇଛି । ଦେଶରେ କରୋନା ସଂକ୍ରମଣ କମିବାରୁ ଅକ୍ଟୋବର ୨୨ ତାରିଖ ପରେ ରାଜ୍ୟରେ ସିନେମା ହଲ, ଥିଏଟର୍ ଆଦି ଖୋଲିବା ନେଇ ଘୋଷଣା କରାଯାଇଛି । ପୂର୍ବରୁ ଅକ୍ଟୋବର ୭ ତାରିଖରେ ଧାର୍ମିକ ସ୍ଥଳ ଖୋଲିବା ନେଇ ଘୋଷଣା କରିସାରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ, କୋଭିଡ୍ ଗାଇଡଲାଇନ୍ କୁ ପାଳନ କରି ସିନେମା ହଲ୍ ଚଲାଇବାକୁ କୁହାଯାଇଛି ।

କରୋନାର ପ୍ରଥମ ଲହର ପରେ ଗତ ବର୍ଷ ନଭେମ୍ବର ମାସରେ ଧାର୍ମିକ ସ୍ଥଳ ଖୋଲିବା ନେଇ ମହାରାଷ୍ଟ୍ର ସରକାର ଅନୁମତି ଦେଇଥିଲେ । କିନ୍ତୁ ଦ୍ୱିତୀୟ ଲହର ଆସିବାପରେ ମାର୍ଚ୍ଚ ୨୦୨୧ରେ ପୁଣିଥରେ ଧାର୍ମିକ ସ୍ଥଳ ସବୁକୁ ବନ୍ଦ କରିବାକୁ କୁହାଯାଇଥିଲା । ତେବେ ଏବେକାର ଗାଇଡଲାଇନ୍ ରେ ସିନେମା ହଲ୍ ଖୋଲିବା ନେଇ ଅନୁମତି ମିଳିବାପରେ ରିଲିଜ୍ ଅପେକ୍ଷାରେ ଥିବା ଅନେକ ଗୁଡ଼ିଏ ମେଗାବଜେଟ୍ ମୁଭି ଏବେ ରିଲିଜ୍ ହୋଇପାରିବ । କାରଣ ଦେଶରେ ହିନ୍ଦୀ ଫିଲ୍ମର କାରବାର ସବୁଠାରୁ ଭଲ ରହି ଆସିଛି ।

ସେହିପରି ୫୦ ପ୍ରତିଶତ କ୍ଷମତା ସହିତ ରେଷ୍ଟୁରାଣ୍ଟ ଖୋଲିବା ନେଇ ଅନୁମତି ଦିଆଯାଇଛି । କାମ କରୁଥିବା ସବୁ କର୍ମଚାରୀ ଦୁଇଟି ଡୋଜ୍ ଟିକା ନେଇଥିବା ଦରକାର । ସେହିପରି ଜିମ୍, ସେଲୁନ୍, ସ୍ପା, ଦୋକାନ ଆଦି ୫୦ ପ୍ରତିଶତ କର୍ମଚାରୀ ସହିତ ଖୋଲିବ । ସବୁ ଗ୍ରାହକ ସମ୍ପୂର୍ଣ୍ଣ ଟିକାକରଣ ହୋଇଥିବା ଦରକାର ।

Get real time updates directly on you device, subscribe now.