fbpx

ରାଜ୍ୟ ସରକାର ଜାରି କଲେ ନୂଆ ଅବକାରୀ ପଲିସୀ: ଗ୍ରାମାଞ୍ଚଳରେ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ନୂଆ ଅବକାରୀ ପଲିସୀ ଲାଗୁ କରିଛନ୍ତି । ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ନୂଆ ଅବକାରୀ ପଲିସୀ ଜାରି କରାଯାଇଛି । ତେବେ ୨୦୨୩-୨୪ରେ ଗ୍ରାମାଞ୍ଚଳରେ ନୂଆ ଅନ ଶପ୍ ବା ବାର ଖୋଲିବ ନାହିଁ । ଅନ୍ୟପକ୍ଷରେ ସହରାଞ୍ଚଳରେ ରୁମ୍ ବ୍ୟବସ୍ଥା ଥିବା ହୋଟେଲକୁ ବାର ଖୋଲିବା ନେଇ ଅନୁମତି ମିଳିବ ।

ନୂଆ ଅବକାରୀ ପଲିସୀ ମୁତାବକ, ଠିପି ବନ୍ଦ ମଦ ଦୋକାକର ଲାଇସେନ୍ସ ପାଇଁ ଆପ୍ଲିକେସନ ଫିସ୍ ବଢ଼ିବ । ଲେବଲ ରେଜିଷ୍ଟ୍ରେସନ ଫିସ୍ ୪୦ ହଜାରରୁ ୫୦ ହଜାରକୁ ବୃଦ୍ଧି ପାଇବ । ସେହିପରି ଆପ୍ଲିକେସନ ଫିସ ୧ ଲକ୍ଷ ୧୦ ହଜାରରୁ ୧ ଲକ୍ଷ ୨୦ ହଜାରକୁ ବଢ଼ିବ । ବିୟୁଟି ପାର୍ଲରମାନଙ୍କରେ ମଦ ମିଳିବା ସହ ସମୁଦ୍ରକଳ ପର୍ଯ୍ୟଟକଙ୍କ ପାଇଁ ମଦ ଉପଲବ୍ଧ ହେବ । ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏ ବାବଦରେ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି)କୁ ଅବଗତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଏପ୍ରିଲ ମାସରେ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଆଣିଥିଲେ । ସେ ସମୟରେ ରାଜ୍ୟ ସରକାର ବିଦେଶରେ ନିର୍ମିତ ହେଉଥିବା ବିଦେଶୀ ମଦ ଉପରୁ ଟ୍ୟାକ୍ସ ହ୍ରାସ ନିଷ୍ପତ୍ତି ନେଇଥିଲେ । ଅନ୍ୟପକ୍ଷରେ ରାଜ୍ୟରେ ନିର୍ମିତ ହେଉଥିବା ବିଦେଶୀ ମଦ ଉପରେ ଅବକାରୀ ଟ୍ୟାକ୍ସ ଅପରିବର୍ତ୍ତିତ ରଖିଥିଲେ । ଗ୍ରାହକମାନେ ଯେପରି କମ୍ ଦାମରେ ଉତ୍ତମ ମାନର ମଦ ପାଇ ପାରିବେ ସେନେଇ ରାଜ୍ୟ ସରକାର ବ୍ୟବସ୍ଥା କରିଥିଲେ ।

Get real time updates directly on you device, subscribe now.