fbpx

ବିଲଡରଙ୍କ ସିରିଜ ବିବାହକୁ ନେଇ ଆସିଲା ନୂଆ ତଥ୍ୟ, ଯୌତୁକ ପରେ ଆହୁରି ମାଗୁଥିଲେ ୭୦ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ବିଲଡରଙ୍କ ସିରିଜ ବିବାହକୁ ନେଇ ଆସିଛି ନୂଆ ତଥ୍ୟ । ଖବର ମୁତାବକ ପ୍ରିୟବ୍ରତ ମିଶ୍ର ନାମକ ଜଣେ ଯୁବକ ଟଙ୍କା ଲୋଭରେ ଅନେକ ଝିଅଙ୍କୁ ବାହା ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଥିଲା । ତାଙ୍କ ନାଁରେ ପ୍ରଥମ ପତ୍ନୀ ପ୍ରିୟଙ୍କା ସେନାପତି ଅଭିଯୋଗ କରିବା ସହ କୋର୍ଟର ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି ।
ପ୍ରିୟଙ୍କାଙ୍କ ଅଭିଯୋଗ ଅନୁସାରେ, ୨୦୧୮ ମସିହା ଜୁଲାଇ ୧୫ ତାରିଖରେ ତାଙ୍କର ବାହାଘର ହୋଇଥିଲା । ବାହାଘର ସମୟରେ ଦାମୀ ମର୍ସିଡିଜ କାର ସହ ୨୧ ଲକ୍ଷ ଟଙ୍କା ଦିଆଯାଇଥିଲା । ଏହା ସହ ସୁନାଗହଣା ଓ ଅନ୍ୟ ଜିନିଷ ମଧ୍ୟ ନେଇଥିଲେ । କିନ୍ତୁ ବାହାଘରର ୭ ଦିନ ପରେ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଥିଲା । ଜମି କିଣିବା ବାବଦକୁ ଆହୁରି ୭୦ଲକ୍ଷ ଟଙ୍କା ଆଣିବା ପାଇଁ ପ୍ରିୟଙ୍କାଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା ।

ପ୍ରିୟବ୍ରତ ନିଜ ଲ୍ୟାପଟରେ ଅନେକ ଝିଅଙ୍କ ସହ କଥା ହେବା ସହ ସମ୍ପର୍କ ରଖିଥିବା ପ୍ରିୟଙ୍କା ଦେଖିବାକୁ ପାଇଥିଲେ । ଏଥିରେ ପ୍ରଶ୍ନ କରିବାକୁ ପ୍ରିୟବ୍ରତଙ୍କ ସହ ତାଙ୍କ ବାପା ମା’ ତାଙ୍କୁ ମାଡ ମାରି ଧମକାଇଥିଲେ । ଅତ୍ୟାଚାର ସହି ନପାରି ପ୍ରିୟଙ୍କା ନିଜ ବାପଘରକୁ ଚାଲିଯିବା ପରେ ପ୍ରିୟବ୍ରତଙ୍କ ବାପା, ମା ପୁଅର ବାହାଘର ପାଇଁ ପୁଣି ଧନୀ ଝିଅ ଫସାଇବାରେ ଲାଗିପଡିଲେ । ଏପରିକି ପ୍ରିୟଙ୍କା ଗର୍ଭବତୀ ହେବାରୁ ବି ପ୍ରିୟବ୍ରତ ଏହାକୁ ନିଜ ପିଲା ବୋଲି ଅସ୍ୱୀକାର କରିଥିଲେ । ଘଟଣାକୁ ନେଇ ପ୍ରିୟଙ୍କା କୋର୍ଟରେ ଯୌତୁକ ବାବଦକୁ ଦିଆଯାଇଥିବା ଟଙ୍କା, କାର୍ ଓ ସୁନାଗହଣା ଫେରସ୍ତ ସହିତ ପୁଅର ଭରଣପୋଷଣ ପାଇଁ ଅର୍ଥ ଦାବି କରିଛନ୍ତି । ପୁଅକୁ ଆଉ କାହାର ବୋଲି ପ୍ରିୟବ୍ରତ କହିଥିବାରୁ ଟିଏନଏ ଟେଷ୍ଟ କରିବାକୁ ପ୍ରିୟଙ୍କା କହିଛନ୍ତି ।

ସେହିପରି ଦ୍ୱିତୀୟ ପତ୍ନୀ କହିଛନ୍ତି ଯେ, ଗତ ଫେବୃୟାରୀ ମାସରେ ତାଙ୍କର ବିବାହ ହୋଇଥିଲା । ବିବାହ ସମୟରେ ୨୪ ଲକ୍ଷ ଟଙ୍କା ଯୌତୁକ ନେଇଥିଲେ । ହେଲେ ସେଥିରେ ଶାଶୁ ଘର ଲୋକ ଖୁସି ନ ଥିଲେ । ଏକ ମାସ ପରେ ଅନ୍ୟ ଜଣେ ମହିଳା ଆସି ଘର ଆଗରେ ପାଟି କରିବାରୁ ସ୍ୱାମୀ ଧୋକେବାଜ ବୋଲି ଜାଣିପାରିଥିଲେ । ସେ ସ୍ତ୍ରୀ ଲୋକଜଣକ ତାଙ୍କ ପ୍ରଥମ ସ୍ତ୍ରୀ ବୋଲି ଜାଣିବାକୁ ପାଇଥିଲେ । ଏନେଇ ସେ ପ୍ରିୟବ୍ରତଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.