fbpx

ଜୋମାଟୋ ଆଇପିଓ ଲଞ୍ଚ ପରେ ୧୦ ବୋର୍ଡ ସଦସ୍ୟ କୋଟିପତି; ଜାଣନ୍ତୁ କେତେ ଟଙ୍କା ପାଇବେ

ନୂଆଦିଲ୍ଳୀ: ବୁଧବାର ଅନଲାଇନ ଫୁଡ ଡେଲିଭରୀ ପ୍ଲାଟଫର୍ମ ଜୋମାଟୋ ପକ୍ଷରୁ ଏହାର ଇନିସିଆଲ ପବ୍ଲିକ୍ ଅଫରିଙ୍ଗ (ଆଇପିଓ) ଲଞ୍ଚ କରାଯାଇଛି । ପ୍ରଥମ ଦିନର ଲଞ୍ଚରେ କମ୍ପାନୀର ୯୬ ପ୍ରତିଶତ ଆଇପିଓ ବିକ୍ରି ହୋଇଥିବା ବେଳେ କମ୍ପାନୀ ସହିତ ଜଡିତ ଥିବା ଏକାଧିକ ବୋର୍ଡ ସଦସ୍ୟ କୋଟିପତି ହେବାକୁ ଯାଉଛନ୍ତି । ଭାରତର ଅନ୍ୟତମ ଶ୍ରେଷ୍ଠ ଷ୍ଟାର୍ଟ ଅପ୍ ଜୋମାଟୋର ୮୨୫୦ କୋଟି ଟଙ୍କାର ଅଂଶଧନ ଆଇପିଓ ଭାବରେ ବିକ୍ରି ହେବାକୁ ଯାଉଥିବା ବେଳେ ଅନ୍ୟୁନ ୧୦ ଜଣ ବୋର୍ଡ ସଦସ୍ୟ କୋଟିପତି ହେବାକୁ ଯାଉଛନ୍ତି । ୭୪ ଜଣ ଶେୟାର ହୋଲ୍ଡରଙ୍କ ମଧ୍ୟରୁ ୧୮ ଜଣଙ୍କ ନିକଟରେ ୧ ପ୍ରତିଶତରୁ ଅଧିକ ଅଂଶଧନ ରହିଛି । ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟଲଙ୍କ ନିକଟରେ ୫.୫ ପ୍ରତିଶତର ଅଂଶଧନ ରହିଥିବା ବେଳେ ଏହାର ମୂଲ୍ୟଞ ୨୭୩୪ କୋଟି ଟଙ୍କା ହେବ । ବୋର୍ଡ ସଦସ୍ୟଙ୍କ ନିକଟରେ ରହିଥିବା ଅଂଶଧନରୁ ସେମାନେ କୋଟିପତି ହେବାକୁ ଯାଉଛନ୍ତି । ଏହି ସଦସ୍ୟଙ୍କ ମଧ୍ୟରେ ୩ ଜଣ ସହ ପ୍ରତିଷ୍ଠାତା ମଧ୍ୟ ରହିଛନ୍ତି । ବୋର୍ଡ ସଦସ୍ୟ ରହିଥିବା ୧୦ ଜଣ ସଦସ୍ୟଙ୍କ ସମ୍ପୂର୍ଣ୍ଣ ତଥ୍ୟ ।

ମୋହିତ ଗୁପ୍ତା,(୨୦୨ କୋଟି): ଦୀପିନ୍ଦରଙ୍କ ସହିତ ସହ ପ୍ରତିଷ୍ଠାତା ରହିଥିବା ମୋହିତ ଗୁପ୍ତାଙ୍କ ନିକଟରେ ୪୦୮୦ ଅଂଶଧନ ରହିଥିବା ବେଳେ ସେ ୨୦୨ କୋଟି ଟଙ୍କା ଆୟ କରିବାକୁ ଯାଉଛନ୍ତି । ବର୍ତ୍ତମାନ ହେଡ ଅଫ୍ ବିଜିନେସ୍ ରହିଥିବା ମୋହିତ ଜୁଲାଇ ୧, ୨୦୧୮ରେ ଜୋମାଟୋରେ ଯୋଗ ଦେଇଥଲେ । ମୋହିତ ୨୦୨୧ରେ ୩.୯ କୋଟିର ବେତନ ପାଉଛନ୍ତି ।

ଗୌରବ ଗୁପ୍ତା (୧୯୭ କୋଟି): ଅନ୍ୟତମ ସହ ପ୍ରତିଷ୍ଠାତା ଗୌରବ ଗୁପ୍ତାଙ୍କ ନିକଟରେ ୩୯୭୫ ଅଂଶଧନ ରହିଥିବା ବେଳେ ଏହାର ମୂଲ୍ୟ ୧୯୭ କୋଟି ଟଙ୍କା ରହିଛି । ୨୨ ଜୁନ୍, ୨୦୧୫ରେ ଜୋମାଟୋରେ ଯୋଗ ଦେଇଥିବା ଗୌରବ ବର୍ତ୍ତମାନ ସପ୍ଲାଇ ମୁଖ୍ୟ ରହିଛନ୍ତି । ଚଳିତ ଆର୍ଥିକ ବର୍ଷରେ ତାଙ୍କୁ ୩.୭ କୋଟିର ବେତନ ପ୍ରଦାନ କରାଯାଇଛି ।

ଗୁଞ୍ଜନ ପଟିଦାର (୧୫୨ କୋଟି): ସହ ପ୍ରତିଷ୍ଠାତା ଭାବରେ ପଟିଦାରଙ୍କ ନିକଟରେ ୩୦୬୭ ଅଂଶଧନ ରହିଥିବା ବେଳେ ସେ ୧୫୨ କୋଟି ଟଙ୍କା ହାସଲ କରିବାକୁ ଯାଉଛନ୍ତି । ୧୯ ଜାନୁୟାରୀ, ୨୦୧୦ରେ କମ୍ପାନୀରେ ଯୋଗ ଦେଇଥିବା ଗୁଞ୍ଜନ ବର୍ତ୍ତମାନ ବୈଷୟିକ ମୁଖ୍ୟ ଭାବେ କାମ କରୁଛନ୍ତି । ୨୦୨୧ରେ ଗୁଞ୍ଜନଙ୍କ ବେତନ ୧.୫ କୋଟି ଟଙ୍କା ରହିଛି ।

ଅକ୍ରିତି ଚୋପ୍ରା (୧୧୩ କୋଟି): ନଭେମ୍ବର୯, ୨୦୧୧ରୁ ଜୋମାଟୋ ସହିତ ଜଡିତ ଚୋପ୍ରା ମାନବ ସମ୍ବଳ ବିଭାଗରେ କାର୍ଯ୍ୟ କରନ୍ତି । ୨୦୨୧ରେ ୧.୬୩ କୋଟି ଟଙ୍କାର ବେତନ ହାସଲ କରିଥିବା ଅକ୍ରିତିଙ୍କ ନିକଟରେ ୨୨୮୪ ଅଂଶଧନ ରହିଥିବା ବେଳେ ଏଥିରୁ ତାଙ୍କୁ ୧୧୩ କୋଟି ଟଙ୍କା ମିଳିବାକୁ ଯାଉଛି ।

ଅକ୍ଷନ୍ତ ଗୋୟଲ: (୯୮ କୋଟି): ଜୋମାଟୋର ମୁଖ୍ୟ ଅର୍ଥନୈତିକ ଅଫିସର ଅକ୍ଷନ୍ତଙ୍କ ନିକଟରେ ୧୯୭୩ ଶେୟାର ରହିଥିବା ବେଳେ ସେ ୯୮ କୋଟି ଟଙ୍କା ହାସଲ କରିବାକୁ ଯାଉଛନ୍ତି । ଏପ୍ରିଲ ୧, ୨୦୧୭ରେ ଜୋମାଟୋରେ ଯୋଗ ଦେଇଥିବା ଅକ୍ଷନ୍ତ ଚଳିତ ବର୍ଷରେ ୩.୩ କୋଟିର ବେତନ ହାସଲ କରିଛନ୍ତି ।

ସୁରୋଭି ଦାସ (୭୨ କୋଟି): ଗ୍ରାହକ ଅଭିଜ୍ଞତା ବିଭାଗର ମୁଖ୍ୟ ରହିଥିବା ସୁରୋଭିଙ୍କ ନିକଟରେ ୧୪୫୭ ଅଂଶଧନ ରହିଥିବା ବେଳେ ସେ ୭୨ କୋଟି ଟଙ୍କା ହାସଲ କରିବାକୁ ଯାଉଛନ୍ତି । ୨୦୨୧ରେ ସେ ୫୫ ଲକ୍ଷର ବେତନ ହାସଲ କରିଛନ୍ତି ।

ରାହୁଲ ଗଞ୍ଜୁ (୬୪.୭ କୋଟି): ଫୁଡ ଡେଲିଭରୀ ବିଭାଗ ମୁଖ୍ୟ ରାହୁଲଙ୍କ ନିକଟରେ ୧୩୦୫ ଅଂଶଧନ ରହିଥିବା ବେଳେ ଏହାର ମୂଲ୍ୟ ୬୪.୭ କୋଟି ଟଙ୍କା ରହିଛି । ୧୬ ବର୍ଷ ଧରି ଜୋମାଟୋ ସହିତ ଜଡିତ ରହିଥିବା ରାହୁଲ ୨୦୨୧ରେ ୨.୯ କୋଟି ଟଙ୍କାର ବେତନ ହାସଲ କରିଛନ୍ତି ।

ଦାମିନୀ ସାନୱେ (୫୦ କୋଟି): ହ୍ୟୁମାନ ରିସୋର୍ସ ମୁଖ୍ୟ ରହିଥିବା ଦାମିନୀଙ୍କ ନିକଟରେ ୧୦୨୮ ଶେୟାର ରହିଥିବା ବେଳେ ଏହାର ମୂଲ୍ୟ ୫୦ କୋଟି ରହିଛି । ୨୦୨୧ରେ ଦାମିନୀଙ୍କୁ ୧.୩୪ କୋଟିର ବେତନ ମିଳିଛି ।

ଦାମିନୀ ଭଲ୍ଲା (୫.୮ କୋଟି): ଜୋମାଟେରେ ସାଧାରଣ ପରାମର୍ଶଦାତା ରହିଥିବା ଭଲ୍ଲାଙ୍କ ନିକଟରେ ୧୧୭ ଶେୟାର ରହିଥିବା ବେଳେ ଏହାର ମୂଲ୍ୟ ୫.୮ କୋଟି ରହିଛି । ୨୬ ମାର୍ଚ୍ଚରେ ଯୋଗ ଦେଇଥିବା ଦାମିନୀଙ୍କ ବେତନ ୨.୮ ଲକ୍ଷ ଟଙ୍କା ରହିଛି ।

ସନ୍ଧ୍ୟା ସେଥିଆ (୧ କୋଟି): ଜୋମାଟୋରେ କମ୍ପାନୀ ସେକ୍ରେଟାରୀ ରହିଥିବା ସେଥିଆଙ୍କ ନିକଟରେ ୨୪ଟି ଶେୟାର ରହିଥିବା ବେଳେ ସେ ୧ କୋଟି ଟଙ୍କା ହାସଲ କରିବେ । ୨୦୨୧ ପାଇଁ ସନ୍ଧ୍ୟା ୫୨ ଲକ୍ଷ ଟଙ୍କା ବେତନ ହାସଲ କରିଛନ୍ତି ।

Get real time updates directly on you device, subscribe now.