fbpx

ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ଏକ ସପ୍ତାହ ମଧ୍ୟରେ କେନ୍ଦ୍ରରେ ଗଠନ ହେବ ସରକାର: ସୂତ୍ର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି । ଗଣତନ୍ତ୍ରର ଏହି ମହାନ୍ ପର୍ବରେ ମୋଟ ୫୪୩ଟି ଆସନ ପାଇଁ ଜନତା ଉପଯୁକ୍ତ ନେତାଙ୍କୁ ଚୟନ କରିବେ । ଏପ୍ରିଲ ୧୯ରୁ ଜୁନ୍ ୧ ପର୍ଯ୍ୟନ୍ତ ମତଦାନ ଗ୍ରହଣ କରାଯିବା ପରେ ଜୁନ ୪ରେ ଫଳାଫଳ ଘୋଷଣା କରାଯିବ । ତା’ରେ ଦେଶରେ ନୂଆ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯିବ । ତେବେ ଏଥର ରେଜଲ୍ଟ ଘୋଷଣା ହେବାର କମ୍ ଦିନ ମଧ୍ୟରେ କେନ୍ଦ୍ରରେ ନୂଆ ସରକାର ଗଠନ ହେବାର ସମ୍ଭାବନା ରହିଛି । ଏହା ପଛରେ କିଛି ବଡ଼ କାରଣ ରହିଛି ।

ରିପୋର୍ଟ ମୁତାବକ, ଭାରତରେ ସାଧାରଣ ନିର୍ବାଚନ ସରିବା ପରେ ଗ୍ଲୋବାଲ ଡିପ୍ଲୋମାସୀ ଆରମ୍ଭ ହୋଇଯିବ । ତେଣୁ ତା’ର ପ୍ରଭାବ ନୂଆ ସରକାର ଗଠନର ତାରିଖ ଉପରେ ପଡ଼ିପାରେ । ସୂତ୍ର ମୁତାବକ, ଯଦି ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ବିଜୟ ହାସଲ କରେ ତେବେ ଜୁନ ୪ ପରେ ତ୍ୱରିତ ଭାବେ ଶପଥ ଗ୍ରହଣ ଓ ମନ୍ତ୍ରିମଣ୍ଡଳ ଗଠନ ହୋଇପାରେ । ପ୍ରକୃତ କଥା ହେଉଛି, ଜୁନ ୧୨ରୁ ୧୭ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ଦୁଇଟି ଗ୍ଲୋବାଲ ଇଭେଣ୍ଟରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।

ଜୁନ୍ ୧୩ରୁ ୧୫ ମଧ୍ୟରେ ଇଟାଲିରେ ଜି-୭ ସମ୍ମିଳନୀ ଆୟୋଜିତ ହେବ । ଆମେରିକା, ଫ୍ରାନ୍ସ, ଇଂଲଣ୍ଡ, ଇଟାଲି, ଜର୍ମାନୀ, ଜାପାନ ଓ କାନାଡ଼ା ଆଦି ରାଷ୍ଟ୍ର ଜି-୭ରେ ଭାଗ ନେଉଥିବା ବେଳେ ଏହାର ନେତୃତ୍ୱ ନେଉଥିବା ଇଟାଲି ଭାରତକୁ ଏକ ବିଶେଷ ପ୍ରତିନିଧି ଭାବେ ଆମନ୍ତ୍ରଣ କରିଛି । ତେଣୁ ଏପରି ଏକ ବିଶ୍ୱସ୍ତରୀୟ ମଞ୍ଚରେ ଅଂଶଗ୍ରହଣ କରିବା ନେଇ ଭାରତ କଦାପି ଅଣଦେଖା କରିବ ନାହିଁ । ଏହାପରେ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଜୁନ୍ ୧୬ରେ ସ୍ୱିଜରଲାଣ୍ଡରେ ଏକ ବଡ଼ ଗ୍ଲୋବାଲ ବୈଠକର ଆୟୋଜନ ହେବ । ଭାରତ ସେଥିରେ ଅଂଶଗ୍ରହଣ କରିବା ନେଇ ଇଚ୍ଛୁକ ଥିବା ଏକ ସୂତ୍ରରୁ ଜଣାପଡ଼ିଛି । ମୋଟାମୋଟି ଭାବେ ଦେଖିବାକୁ ଗଲେ ଜୁନ ୧୨ରୁ ଏକ ସପ୍ତାହରୁ ଅଧିକ ସମୟ ଧରି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ରହିଛି । ତେଣୁ ଜୁନ୍ ୪ରେ ରେଜଲ୍ଟ ପ୍ରକାଶ ପାଇବା ପରେ ଦେଶର ନୂଆ ସରକାର ଗଠନ ପ୍ରକ୍ରିୟାରେ ଚଳଚଞ୍ଚଳ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି ।

ଗତ ଥର ୨୦୧୯ ମେ ୨୩ରେ ଫଳାଫଳ ପ୍ରକାଶ ପାଇଥିବା ବେଳେ ନରେନ୍ଦ୍ର ମୋଦୀ ସରକାର ଏକ ସପ୍ତାହ ପରେ ଅର୍ଥାତ ମେ ୩୦ରେ ଶପଥ ନେଇଥିଲେ । ତା’ ପୂର୍ବରୁ ୨୦୧୪ ମେ ୧୬ରେ ଫଳାଫଳ ଘୋଷଣା ହୋଇଥିବା ବେଳେ ୧୦ ଦିନ ପରେ ଅର୍ଥାତ ମେ ୨୬କୁ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏଥର ଜୁନ ୧ରେ ମତଦାନ ସରୁଥିବା ବେଳେ ୪ରେ ଫଳାଫଳ ପ୍ରକାଶ ପାଇବ । ଏପରି ସ୍ଥିତିରେ ଗ୍ଲୋବାଲ ସମିଟରେ ଅଂଶଗ୍ରହଣ କରିବା ପାଇଁ ଭାରତକୁ ଆମନ୍ତ୍ରଣ ମିଳିଥିବାରୁ ଯିଏ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ ସେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

Get real time updates directly on you device, subscribe now.