ନୂଆ Jersey, ନୂଆ Mascott… ନୂଆ ରୂପରେ କମବ୍ୟାକ କରୁଛି ବେଦାନ୍ତ ଲାନସର୍ସ

ଭୁବନେଶ୍ୱର: ଡିସେମ୍ବର ୨୮ରୁ ଆରମ୍ଭ ହେଉଥିବା ହକି ଇଣ୍ଡିଆ ଲିଗ୍‌କୁ ନଜରରେ ରଖି ଓଡ଼ିଶା ଭିତ୍ତିକ ଫ୍ରାଞ୍ଚାଇଜି ବେଦାନ୍ତ କଳିଙ୍ଗ ଲାନସର୍ସ ପକ୍ଷରୁ ଏହାର ଜର୍ସି, ଆନ୍ଥେମ ଏବଂ ମାସ୍କଟ୍‌କୁ ଏକ ଗ୍ରାଣ୍ଡ୍ ଇଭେଣ୍ଟରେ ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ନୂଆ ଜର୍ସି, ମାସ୍କଟକୁ ଉନ୍ମୋଚନ କରିଛନ୍ତି କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ବେଦାନ୍ତ ଆଲମିନିୟମ ର ସିଇଓ ସୁନିଲ ଗୁପ୍ତା ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପର ପ୍ରମୁଖ ସଚିବ ଭାସ୍କର ଶର୍ମା , ବେଦାନ୍ତ କଳିଙ୍ଗ ଲାନ୍ସର ଦଳ କୁ ପ୍ରତିନିଧିତ୍ଵ କରୁଥିବା ଭାରତୀୟ ଖେଳଳୀମାନେ ଉପସ୍ଥିତ ଥିଲେ।

ଏହି ଜର୍ସିରେ ନୀଳ ଏବଂ ସବୁଜ ରଙ୍ଗର ମିଶ୍ରଣ ରହିଥିବା ବେଳେ ଏହା କମଳା ଏବଂ ଧଳା ରଙ୍ଗକୁ ମଧ୍ୟ ସ୍ଥାନିତ କରିଛି । ଜର୍ସିରେ ଓଡ଼ିଶାର ଇତିହାସ, ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ, ଭୂଗୋଳ ସହ ଭବିଷ୍ୟତର ଆକାଂକ୍ଷା ପ୍ରତିଫଳିତ ହେଉଛି । ରାଜ୍ୟର ପ୍ରାକୃତିକ ଶୋଭାରାଜି ଏବଂ ପ୍ରଗତିକୁ ଏହା ପ୍ରଦର୍ଶିତ କରୁଛି । କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସମ୍ମାନ ଜଣାଇ ଏଥିରେ ହାର୍ଟ ନିକଟରେ ରହିଛି କୋଣାର୍କ ଚକ୍ର । ଏହା ସହ ରାଜ୍ୟର ପାରମ୍ପରିକ କଳାକୁ ମଧ୍ୟ ଏଥିରେ ସେଲିବ୍ରେଟ କରାଯାଇଛି । ଉତ୍ତର ଓଡ଼ିଶାର ଛଉ ନୃତ୍ୟ, ଦକ୍ଷିଣ ଓଡ଼ିଶାର ଘୁମୁରା ଡ୍ୟାନ୍ସ ପ୍ୟାଟର୍ନ ସହ ପଶ୍ଚିମ ଓଡ଼ିଶାର ସମୃଦ୍ଧ ବୟନ କଳା ସମ୍ବଲପୁରୀ ଡିଜାଇନର ଝଲକ ଏଥିରେ ଦେଖିବାକୁ ମିଳିବ ।

ଡିଜାଇନରେ ଏହି ଅତ୍ୟାଧୁନିକ ଦିଗ ଗୁଡିକ ପ୍ରଗତି ପ୍ରତି ରହିଥିବା ବେଦାନ୍ତର ପ୍ରତିବଦ୍ଧତାକୁ ଦୋହରାଉଛି । ତଳ ଭାଗରେ ପତ୍ରାକୃତି ଢ଼େଉ ଆକୃତି ବେଦାନ୍ତ ଲୋଗୋରୁ ଅନୁପ୍ରାଣିତ ହୋଇ ସ୍ଥାନିତ କରାଯାଇଛି ।ଏହା ଅଭିବୃଦ୍ଧି, ଇତିହାସ, କଳା ଏବଂ ନିରନ୍ତରତାର ମିଶ୍ରଣକୁ ଦର୍ଶାଉଛି । ଜର୍ସିର ଉପର ଭାଗରେ ତରଙ୍ଗାୟିତ ମହାନଦୀ ସ୍ଥାନିତ କରାଯାଇଛି । ସେହିଭଳି ହୀରାକୁଦ ଡ୍ୟାମ ସହ ଡେଲଟା ଭଳି ଓଡ଼ିଶାର ଭୌଗୋଳିକ ଜୀବନ ଧାରା ଏବଂ ସମୁଦ୍ର ସହ ସମ୍ପର୍କକୁ ଦର୍ଶାଉଛି । ଟିମ୍‌ର ମାସ୍କଟ ଜିତ୍ ମଧ୍ୟ ଏହି ଅବସରରେ ଉନ୍ମୋଚିତ ହୋଇଛି । କଳିଙ୍ଗ ଲ୍ୟାନସର୍ସର ଆନ୍ଥେମ ଜଜବା କି ଜିତ୍ କଠିନ ପରିଶ୍ରମ ଏବଂ ଅଧ୍ୟବସାୟକୁ ପ୍ରଦର୍ଶନ କରୁଛି । ଏହାକୁ ଓଡ଼ିଆର ଋତୁରାଜ ମହାନ୍ତି ଗାଇଛନ୍ତି ।

କାର୍ଯ୍ୟକ୍ରମରେ ବେଦାନ୍ତର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, କଳିଙ୍ଗ ଲାନସର୍ସର ଜର୍ସିକୁ ଉନ୍ମୋଚନ କରି ଅତ୍ୟନ୍ତ ଖୁସି । ହକି ଓଡ଼ିଶାରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି ।ଫ୍ରାଞ୍ଚାଇଜି ଭାବେ ଏହାର ପ୍ରୋତ୍ସାହନ ଆମ ପାଇଁ ଗର୍ବର ବିଷୟ । ଜର୍ସି ରାଜ୍ୟର କଳା, ସଂସ୍କୃତି ଏବଂ ଆକାଂକ୍ଷାକୁ ପ୍ରତିଫଳିତ କରୁଛି । ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଏବଂ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଲାଗି ବେଦାନ୍ତ ନିରନ୍ତର କ୍ରୀଡା ଭିତ୍ତିଭୂମିରେ ନିବେଶ କରୁଛି ।