ନୂଆ ବର୍ଷରେ ଦିଅନ୍ତୁ ନାହିଁ ଭିକ, ନୋହିଲେ ଆଇନ ଖାପରେ ପଡିବାର ରହିଛି ସମ୍ଭାବନା

ଇନ୍ଦୋର– ଭିକାରୀଙ୍କୁ ଭିକ ଦେଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ । ନୂଆ ବର୍ଷରୁ ନୂଆ ନିୟମ ଆଣୁଛନ୍ତି ସରକାର । ନୂଆ ବର୍ଷରୁ ଭିକାରୀଙ୍କୁ ଭିକ ଦେବା ଉପରେ ଲାଗିବ କଟକଣା । ଏମିତି କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଦାୟର ହେବ ମାମଲା । ଏଥିପାଇଁ ଜିଲ୍ଲାପାଳଙ୍କ ତରଫରୁ ଏକ ସାଧାରଣ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।

ମଧ୍ୟପ୍ରଦେଶର ଇନ୍ଦୋର ସହରକୁ ଭିକାରୀ ମୁକ୍ତ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଜାନୁଆରୀ ୧ରୁ ଭିକ ଦେଉଥିବା ଲୋକଙ୍କ ନାମରେ ହେବ ଏଫଆଇଆର । ଜିଲ୍ଲାପାଳ ଆଶିଷ ସିଂହ କହିଛନ୍ତି କି, ଭିକ ମାଗିବା ବିରୋଧରେ ଚାଲିଥିବା ସଚେତନତା ଅଭିଯାନ ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ । ଏହା ପରେ, ଅର୍ଥାତ୍ ଜାନୁଆରୀ ୧ ତାରିଖରୁ ଯଦି କେହି ଭିକ ଦିଅନ୍ତି ତେବେ ତାଙ୍କ ନାମରେ ଏଫଆଇଆର ଦାୟର ହେବ । ତେଣୁ ସମସ୍ତ ଇନ୍ଦୋରବାସୀଙ୍କୁ ଭିକ ନ ଦେବାକୁ ଅପିଲ କରିଛନ୍ତି ଜିଲ୍ଲାପାଳ ।

ଏଠାରେ କହି ରଖୁଛୁ କି, କେନ୍ଦ୍ର ସାମାଜିକ ନ୍ୟାୟ ଓ ଅଧିକାର ମନ୍ତ୍ରଣାଳୟ ଦେଶର ୧୦ ସହରକୁ ଭିକାରୀ ମୁକ୍ତ କରିବାକୁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି, ଯେଉଁଥିରେ ଇନ୍ଦୋର ମଧ୍ୟ ରହିଛି । ଏଥିପାଇଁ ବିଗତ ୧୪ ଦିନ ହେବ ଇନ୍ଦୋର ସହରରେ ପୋଲିସ ଓ ପ୍ରଶାସନିକ ଟିମ ଭିକାରୀ ଧରପଗଡ କରୁଛନ୍ତି । ଏହି କାର୍ଯ୍ୟାନୁଷ୍ଠାନରେ ଶନି ମନ୍ଦିର ନିକଟରେ ଭିକ ମାଗୁଥିବା ମହିଳାଠାରୁ ୭୫ ହଜାର ଟଙ୍କା ଜବତ କରିଥିଲା, ଏହି ଟଙ୍କା ମାତ୍ର ୧୦-୧୨ ଦିନ ମଧ୍ୟରେ ସଂଗ୍ରହ ହୋଇଥିଲା ।