fbpx
BSKY SKY
BSKY SKY

ଲାଗୁ ହେଲା ନୂଆ ଫର୍ମୂଲା: ଏଣିକି ଯେତିକି କାମ ସେତିକି ବେତନ, କାମ ଅନୁସାରେ ସାଲାରି ପାଇବେ କର୍ମଚାରୀ

BSKY

ନୂଆଦିଲ୍ଲୀ: ଅନେକ ସମୟରେ ବିଭିନ୍ନ ସଂସ୍ଥାରେ କାମ କରୁଥିବା କର୍ମଚାରୀମାନେ ନାନା ପ୍ରକାରର ଅଭିଯୋଗ ଆଣିଥାନ୍ତି । ସେମାନଙ୍କୁ ନିଜର କାର୍ଯ୍ୟ ଅନୁଯାୟୀ ଆବଶ୍ୟକ ପ୍ରାପ୍ୟ ମିଳୁନଥିବା ଅନେକ କହିଥାନ୍ତି । ଏଥିସହିତ ଅନ୍ୟ କର୍ମଚାରୀଙ୍କର ଦରମା ବଢ଼ିଲା, ମୋର ବଢ଼ିଲାନି ଏପରି ମଧ୍ୟ ଶୁଣାଯାଇଥାଏ । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଣିକି କାମ ଅନୁସାରେ କର୍ମଚାରୀଙ୍କୁ ବେତନ ମିଳିବ ।

ସାଧାରଣ ଭାବେ ପ୍ରତି କର୍ମଚାରୀଙ୍କର ମାସିକ ବେତନ କମ୍ପାନୀ ପକ୍ଷରୁ ପୂର୍ବରୁ ସ୍ଥିରୀକୃତ ହୋଇଥାଏ । ସେହି ଅନୁସାରେ କର୍ମଚାରୀମାନେ ସେମାନଙ୍କର ବେତନ ପାଇଥାନ୍ତି । ସୂଚନା ମୁତାବକ, ବିଶ୍ୱର ଅନ୍ୟତମ ଟେକ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) କର୍ମଚାରୀଙ୍କୁ ବେତନ ପ୍ରଦାନ ନେଇ ଏକ ନୂଆ ଫର୍ମୂଲା ଆପଣାଇଛି । ନିଜର ୭୦ ପ୍ରତିଶତ କର୍ମଚାରୀଙ୍କୁ ୧୦୦ ପ୍ରତିଶତ ପରିବର୍ତ୍ତିତ ବେତନ ପ୍ରଦାନ ନେଇ କମ୍ପାନୀ ନିଷ୍ପତ୍ତି ଗ୍ରହଣ କରିଛି ।

ଏହାର ଅର୍ଥ ହେଉଛି, ଯେଉଁ କର୍ମଚାରୀ ଯେତିକି କାମ କରିବ ସେ ସେତିକି ବେତନ ପାଇବ । କାମ ଅନୁସାରେ ପ୍ରତି ମାସରେ ସାଲାରି ମିଳିବ । ଏହି ନିୟମ ଗତ ମାସ ୩୧ ତାରିଖରୁ ଲାଗୁ ହୋଇଯାଇଛି । ଏଥିରେ ଜୁନିୟର ଠାରୁ ଆରମ୍ଭ କରି ମିଡ-ଲେବଲ କର୍ମଚାରୀମାନେ ସାମିଲ ହେବେ । କର୍ମଚାରୀଙ୍କୁ ସେମାନଙ୍କର ପ୍ରଦର୍ଶନ ଆଧାରରେ ବେତନ ପ୍ରଦାନ କରାଯିବ ବୋଲି କମ୍ପାନୀର ସିଏଚଆରଓ ମିଲିନ୍ଦ ଲକ୍କଡ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ଟିସିଏସର କର୍ମଚାରୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ପ୍ରଥମ ତ୍ରୈୟମାସଠାରୁ ଦ୍ୱିତୀୟ ତ୍ରୈୟମାସ ମଧ୍ୟରେ କମ୍ପାନୀର କର୍ମଚାରୀ ସଂଖ୍ୟାରେ ୫,୬୮୦ ହ୍ରାସ ପରିଲକ୍ଷିତ ହୋଇଛି । ପ୍ରଥମ ତ୍ରୈୟମାସରେ ୧୪.୯ ପ୍ରତିଶତ କର୍ମଚାରୀ ଚାକିରି ଛାଡ଼ିଥିବା ବେଳେ ଦ୍ୱିତୀୟ ତ୍ରୈୟମାସରେ ଏହା ୧୩.୩ ପ୍ରତିଶତ ରହିଥିଲା ।

Get real time updates directly on you device, subscribe now.