fbpx

ଖେଳ ପ୍ରତି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଜମ୍ମୁ-କଶ୍ମୀର ପାରା କ୍ରିକେଟ ଅଧିନାୟକ

ଜମ୍ମୁ: ୱାଘାମା ଗ୍ରାମର ୩୪ ବର୍ଷୀୟ ଦିବ୍ୟାଙ୍ଗ କ୍ରିକେଟର ଅମୀର ହୁସେନ ଲୋନ ଜମ୍ମୁ-କଶ୍ମୀରର ପାରା କ୍ରିକେଟ ଦଳର ଅଧିନାୟକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୩ମସିହାରେ ଜଣେ ଶିକ୍ଷକ ତାଙ୍କ ପ୍ରତିଭା କୁ ଆବିଷ୍କାର କରି ପାରା କ୍ରିକେଟ୍ ସହ ପରିଚିତ କରାଇବା ପରେ ତାଙ୍କ କ୍ରିକେଟ୍ ଯାତ୍ରା ଆରମ୍ଭ ହୋଇଥିଲା। ୮ ବର୍ଷ ବୟସରେ ବାପାଙ୍କ ମିଲରେ ଏକ ଦୁର୍ଘଟଣାରେ ଦୁଇ ହାତ ହରାଇଥିବା ଅମୀର କ୍ରିକେଟ୍ ଦୁନିଆରେ ଏକ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଭାବେ ଉଭା ହୋଇଛନ୍ତି। ସେ ନିଜ ପାଦରେ ବୋଲିଂ କରିବା ସହ କାନ୍ଧ ଓ ବେକ ମଧ୍ୟରେ ବ୍ୟାଟ୍ ଧରି ବ୍ୟାଟିଂ କରିଥାନ୍ତି।

ଏତେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ସତ୍ତ୍ୱେ ଆମୀରଙ୍କ ଖେଳ ପ୍ରତି ଉତ୍ସାହ ଅନ୍ୟମାନଙ୍କୁ ପ୍ରେରଣା ଦେଉଛି। ଦୁର୍ଘଟଣା ପରେ ଚ୍ୟାଲେଞ୍ଜିଂ ସମୟରେ ସରକାର ସହାୟତା ପ୍ରଦାନ କରିନଥିବା ସେ ପ୍ରକାଶ କରିଛନ୍ତି। ନିକଟରେ ଏଏନଆଇର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଅପଲୋଡ ହୋଇଥିବା ଏକ ଭିଡିଓରେ ଏହି କ୍ରିକେଟର ବାମ କାନ୍ଧ ଏବଂ ବେକ ମଧ୍ୟରେ ବ୍ୟାଟ୍ ଧରି ବ୍ୟାଟିଂ କରୁଥିବାଦେଖିବାକୁ ମିଳିଛି। ଏହାପରେ ସେ ନିଜ ଡାହାଣ ଗୋଡ଼ରେ ବଲ୍ ଧରି ବୋଲିଂ କରୁଥିବା ଦେଖିବାକୁ ମିଳୁଛି।

‘ଦୁର୍ଘଟଣା ପରେ ମୁଁ ଆଶା ହରାଇନଥିଲି ଏବଂ କଠିନ ପରିଶ୍ରମ କରିଥିଲି। ମୁଁ ନିଜେ ସବୁ କିଛି କରିପାରିବି ଏବଂ ମୁଁ କାହା ଉପରେ ନିର୍ଭରଶୀଳ ନୁହେଁ । ଦୁର୍ଘଟଣା ପରେ ମୋତେ କେହି ସାହାଯ୍ୟ କରିନଥିଲେ। ଏପରିକି ସରକାର ମଧ୍ୟ ମୋତେ ସମର୍ଥନ କରିନଥିଲେ, କିନ୍ତୁ ମୋ ପରିବାର ସବୁବେଳେ ମୋ ପାଇଁ ରହିଥିଲା’ ବୋଲି ଅମୀର କହିଛନ୍ତି।

Get real time updates directly on you device, subscribe now.