ନୂଆ ଦଳ, ପୁରୁଣା ପଦବୀ… IPL-2025ରେ ଶ୍ରେୟସଙ୍କୁ ମିଳିଲା ବଡ଼ ଦାୟିତ୍ୱ, PBKSର ବଡ଼ ଘୋଷଣା

ଶ୍ରେୟସଙ୍କୁ ଅଧିନାୟକ ପଦରେ ନିୟୋଜିତ କଲା ପଞ୍ଜାବ କିଙ୍ଗସ: ରିକି ପଣ୍ଟିଂ ମୁଖ୍ୟ କୋଚ୍

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ତାରିଖ ଘୋଷଣା ହୋଇଯାଇଛି । ଏହାସହିତ ପଞ୍ଜାବ କିଙ୍ଗସ ମଧ୍ୟ ଦଳର ନୂଆ ଅଧିନାୟକଙ୍କ ନାମ ଘୋଷଣା କରିଛି ।

ଶ୍ରେୟସ ଆୟର ଅଧିନାୟକ: କୋଲକାତା ନାଇଟ ରାଇଡର୍ସର ପୂର୍ବତନ ଚମ୍ପିଆନ୍ ଅଧିନାୟକ ତଥା ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶ୍ରେୟସ ଆୟରଙ୍କୁ ଅଧିନାୟକ ପଦରେ ନିୟୋଜିତ କରିଛି ପଞ୍ଜାବ କିଙ୍ଗସ । ଆଇପିଏଲ ମେଗା ଅକ୍ସନରେ ଦଳରେ ସାମିଲ ହୋଇଥିବା ଶ୍ରେୟସଙ୍କୁ ମିଳିଛି ଅଧିନାୟକ ପଦ ।

କ’ଣ କହିଲେ ଶ୍ରେୟସ: ଅଧିନାୟକ ଦାୟିତ୍ୱ ପାଇବା ପରେ ଶ୍ରେୟସ ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଦଳ ମୋ ଉପରେ ଭରସା କରିଥିବାରୁ ମୁଁ ନିଜକୁ ସମ୍ମାନିତ ମନେ କରୁଛି ।

କୋଚ୍ ପଣ୍ଟିଂଙ୍କ ସହ କାମ କରିବା ପାଇଁ ମୁଁ ଖୁବ ଉତ୍ସାହିତ ରହିଛି । ଟିମ ମଜବୁତ ମନେ ହେଉଛି । ଆଶା ଅଛି ଯେ, ଟିମ ମ୍ୟାନେଜମେଣ୍ଟର ଏହି ଭରସା ଏବଂ ବିଶ୍ୱାସ ସହ ଆମେ ଚମ୍ପିଆନ୍ ହେବାକୁ ଚେଷ୍ଟା କରିବୁ ।

୨୦୨୪ରେ ଚମ୍ପିଆନ୍ ହେବା ପରେ କୋଲକାତା ନାଇଟ ରାଇଡର୍ସ ତାଙ୍କୁ ଆଗାମୀ ସିଜନ ପୂର୍ବରୁ ଦଳରୁ ବାଦ୍ ଦେଇଛି । ଏହାପରେ ମେଗା ନିଲାମୀରେ ପଞ୍ଜାବ ଶ୍ରେୟସଙ୍କୁ ୨୬.୭୫ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା । ବର୍ତ୍ତମାନ ତାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ପ୍ରଦାନ କରିଛି ପଞ୍ଜାବ କିଙ୍ଗସ ।

୨୦୨୪ରେ ଦମଦାର ପ୍ରଦର୍ଶନ: ୨୦୨୪ ଶ୍ରେୟସଙ୍କ ପାଇଁ ବେଶ୍ ସ୍ମରଣୀୟ ରହିଛି । ଏହିବର୍ଷ କୋଲକାତା ନାଇଟ ରାଇଡର୍ସକୁ ଅଧିନାୟକ ଭାବରେ ଆଇପିଏଲ ଚମ୍ପିଆନ୍ କରିଥିଲେ ।

ଏହାସହିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମୁମ୍ବାଇକୁ ମଧ୍ୟ ଚମ୍ପିଆନ୍ କରାଇଛନ୍ତି । ସେହିପରି ଇରାନ ଟ୍ରଫି ଚମ୍ପିଆନ୍ ମୁମ୍ବାଇ ଦଳରେ ମଧ୍ୟ ସେ ସାମିଲ ରହିଥିଲେ । ଆୟର ପଞ୍ଜାବର ଅଧିନାୟକ ହୋଇଥିବା ବେଳେ ଦଳର ମୁଖ୍ୟ କୋଚ୍ ଭଳମିକା ନେଇଛନ୍ତି ରିକି ପଣ୍ଟିଂ ।