fbpx

ରାଜସ୍ଥାନ କଂଗ୍ରେସରେ ବିସ୍ଫୋରଣ: ମୋତେ ମୁଖ୍ୟମନ୍ତ୍ରୀ କରାଅ, ନଚେତ୍ ଦଳ ଆହୁରି ତଳକୁ ଖସିବ, ହାଇକମାଣ୍ଡଙ୍କୁ ରୋକଠୋକ୍ ଶୁଣାଇଲେ ପାଇଲଟ

Advertisement

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟଙ୍କୁ ନେଇ ପୁଣି ଥରେ କଂଗ୍ରେସର ଚିନ୍ତା ବଢ଼ିଯାଇଛି । ନିକଟରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗେସର ଲଜ୍ଜାଜନକ ପରାଜୟ ପରେ ଦଳର ହାଇକମାଣ୍ଡ ସକ୍ରିୟ ହୋଇ ଉଠିଛନ୍ତି । ଦଳ ପାଞ୍ଚଟି ରାଜ୍ୟର କଂଗ୍ରେସ ଅଧ୍ୟକ୍ଷଙ୍କୁ ବଦଳାଇବା ପରେ ମଧ୍ୟପ୍ରଦେଶର ବିରୋଧୀ ଦଳ ନେତା ପଦରୁ ବରିଷ୍ଠ ନେତା କମଲନାଥଙ୍କୁ ହଟାଇ ଦେଇଛି । ଜଣେ ନେତା କେବଳ ଗୋଟିଏ ଦାୟିତ୍ୱରେ ରହିବା ହାଇକମାଣ୍ଡ ନିଷ୍ପତ୍ତି ନେଇଥିବାରୁ ଆଗକୁ ଆଉ କିଛି ନେତା କିଛି ନିଜ ନିଜ ପଦରୁ ହଟିବା ସମ୍ଭାବନା ଦେଖାଦେଇଛି ।

ତେବେ ଏହା ମଧ୍ୟରେ ପାଇଲଟଙ୍କୁ ନେଇ ରାଜସ୍ଥାନ କଂଗ୍ରେସ ପଡ଼ୁଛି ଉଠୁଛି । ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଯାଉ ବୋଲି ଦୀର୍ଘଦିନରୁ ଅସନ୍ତୁଷ୍ଟ ରହିଥିବା ପାଇଲଟ ସଫାସଫା କହିଦେଇଛନ୍ତି । ରାଜ୍ୟରେ କଂଗ୍ରେସ ଖରାପ ସମୟ ଦେଇ ଗତି କରୁଛି । ତେଣୁ ଦଳକୁ କ୍ଷମତା ବଜାୟ ରଖିବାକୁ ହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଉ ବୋଲି ପାଇଲଟ ସୋନିଆ ଗାନ୍ଧି ଓ ପ୍ରିୟଙ୍କାକୁ କହିଥିବା ଚର୍ଚ୍ଚା ହେଉଛି । ବର୍ତ୍ତମାନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ଅଶୋକ ଗେହଲଟଙ୍କ ସହ ପାଇଲଟଙ୍କ ଶୀତଳଯୁଦ୍ଧ ଦୀର୍ଘଦିନରୁ ରହିଆସିଛି । ରାଜ୍ୟରେ କଂଗ୍ରେସକୁ କ୍ଷମତାକୁ ଆଣିବା ପଛରେ ପାଇଲଟଙ୍କ ବିଶେଷ ଭୂମିକା ରହିଥିବାରୁ ସେ ମୁଖ୍ୟମନ୍ତ୍ରୀ ଗାଦିରେ ବସିବାକୁ ଆଶାୟୀ ଥିଲେ । ମାତ୍ର ଗେହଲଟଙ୍କ ଚତୁର ଗୋଟି ଚାଳନାରେ ହାଇକମାଣ୍ଡଙ୍କ ଡିସେସନ୍ ବଦଳି ଯାଇଥିଲା ।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହୋଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯେପରି ବିଜେପିରେ ସାମିଲ ହୋଇଥିଲେ ଅନୁରୂପ ଭାବେ ପାଇଲଟ ଅବସ୍ଥା ହୋଇଥିଲା ରାଜସ୍ଥାନରେ । ତେଣୁ ସେ ମଧ୍ୟ ଦଳ ଛାଡ଼ିବେ ବୋଲି ପୂର୍ବରୁ ବହୁତ ଚର୍ଚ୍ଚା ହୋଇଥିଲା । ତେବେ ପାଇଲଟ ମୁଖ୍ୟମନ୍ତ୍ରୀ ହେବା ପ୍ରସଙ୍ଗକୁ ଦଳର ମୁଖ୍ୟପାତ୍ର ରଣଦୀପ ସୂରଜେୱାଲା ଖଣ୍ଡନ କରିଛନ୍ତି । ତେବେ ଏହି ପ୍ରସଙ୍ଗଟି ସତ ହେଉ କି ମିଛ ଆଗକୁ ପାଇଲଟଙ୍କୁ ନେଇ କିଛି ବଡ଼ ବିସ୍ଫୋରଣ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।

Get real time updates directly on you device, subscribe now.