ହନିମୁନ୍ କରିବାକୁ ଯାଇ ପୁଣି ଜଣେ ନବଦମ୍ପତ୍ତି ନିଖୋଜ, ୧୧ ଦିନ ହେବ ମିଳୁନି ପତ୍ତା

ସୋନମ-ରାଜାଙ୍କ ପରେ କେବେ ମିଳିବ କୌଶଳେନ୍ଦ୍ର ପ୍ରତାପ ସିଂହ ଏବଂ ଅଙ୍କିତା ସିଂହଙ୍କ ସନ୍ଧାନ?

ଉତ୍ତରପ୍ରଦେଶ: ମଧ୍ୟପ୍ରଦେଶର ସୋନମ ଏବଂ ରାଜାଙ୍କ ପରେ, ସିକିମକୁ ହନିମୁନ୍ କରିବାକୁ ଯାଇଥିବା ଆଉ ଏକ ନବ ବିବାହିତ ଦମ୍ପତି ନିଖୋଜ ହୋଇଯାଇଛନ୍ତି। ୧୧ ଦିନ ହେବ ଉଭୟଙ୍କର କୌଣସି ସନ୍ଧାନ ମିଳିପାରୁନାହିଁ।

ପୋଲିସ ବହୁ ଚର୍ଚ୍ଚିତ ହନିମୁନ କରିବାକୁ ଯାଇ ନିଖୋଜ ହୋଇଥିବା ରାଜା ଏବଂ ସୋନମ ମାମଲାର ସମାଧାନ କରିଛି। ରାଜାଙ୍କ ମୃତଦେହ ପୂର୍ବରୁ ଉଦ୍ଧାର କରାଯାଇଥିଲା। ଏବେ ସୋନମଙ୍କୁ ସ୍ୱାମୀ ହତ୍ୟାକାଣ୍ଡ ମାମଲାରେ ଗିରଫ କରିଛି।

ଅନ୍ୟପଟେ ୟୁପିର ପ୍ରତାପଗଡ଼ ଜିଲ୍ଲାର ନବ ବିବାହିତ ଦମ୍ପତି କୌଶଳେନ୍ଦ୍ର ପ୍ରତାପ ସିଂହ ଏବଂ ଅଙ୍କିତା ସିଂହଙ୍କ କୌଣସି ସନ୍ଧାନ ମିଳିନାହିଁ। ପରିବାର ସଦସ୍ୟମାନେ କହିଛନ୍ତି ଯେ “ଏବେ ପର୍ଯ୍ୟନ୍ତ ଗୋଟିଏ ଚପଲ ମଧ୍ୟ ମିଳିନାହିଁ।”

ହନିମୁନ୍ କରିବାକୁ ଯାଇ ନିଖୋଜ:  ଲାଲଗଞ୍ଜ ତହସିଲ ଅଞ୍ଚଳର ରାହାଟିକର ଗାଁର ବାସିନ୍ଦା କୌଶଳେନ୍ଦ୍ର ଏବଂ ଅଙ୍କିତା ସେମାନଙ୍କ ହନିମୁନ୍ ପାଇଁ ସିକିମ ଯାଇଥିଲେ। ଉଭୟ ଯେଉଁ ଗାଡ଼ିରେ ଯାତ୍ରା କରୁଥିଲେ ତାହା ୨୯ ମେ ରେ ଦୁର୍ଘଟଣାଗ୍ରସ୍ତ ହୋଇ ୧୦୦୦ ଫୁଟ ଗଭୀର ଘାଟିରେ ଖସି ପଡ଼ିଥିଲା।

ଏହି ଦୁର୍ଘଟଣାକୁ ୧୧ ଦିନ ବିତିଗଲାଣି କିନ୍ତୁ ଉଭୟଙ୍କ କୌଣସି ଖବର ନାହିଁ। ଏହି ଗାଡ଼ିରେ ଯାତ୍ରା କରୁଥିବା ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ସାଧାରଣ ୱାର୍ଡରେ ଏବଂ ଅନ୍ୟ ଜଣେ ଆଇସିୟୁ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ଏହି ଲୋକମାନେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ କୌଶଳେନ୍ଦ୍ର ଏବଂ ଅଙ୍କିତା ସେମାନଙ୍କ ସହିତ ଟ୍ରାଭେଲରରେ ଉପସ୍ଥିତ ଥିଲେ।

ମିଳିନି କୌଣସି ସୁରାକ:  ସର୍ଚ୍ଚ ଅପରେସନରେ ନିୟୋଜିତ ଟିମ୍ ଟ୍ରାଭେଲର୍‌ରେ ଯାତ୍ରା କରୁଥିବା ଲୋକଙ୍କ ଅନେକ ଜିନିଷପତ୍ର ପାଇଛନ୍ତି। କିନ୍ତୁ ଏହି ଜିନିଷପତ୍ରଗୁଡ଼ିକ ମଧ୍ୟରୁ କୌଣସିଟି କୌଶଳେନ୍ଦ୍ର କିମ୍ବା ଅଙ୍କିତାଙ୍କର ନୁହେଁ।

କୌଶଳେନ୍ଦ୍ରଙ୍କ ବାପା ଶେର ବାହାଦୁର ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସୋସିଆଲ ମିଡିଆ ମାଧ୍ୟମରେ ନିବେଦନ କରିଛନ୍ତି।

ସେ କହିଛନ୍ତି, “ଏପର୍ଯ୍ୟନ୍ତ ଉଦ୍ଧାର ହୋଇଥିବା ଜିନିଷପତ୍ର, ପୋଷାକ, ଜୋତା, ଘଣ୍ଟା, ଚଷମା, ବ୍ୟାଗ ମଧ୍ୟରୁ କୌଣସିଟି ମୋ ପୁଅ କିମ୍ବା ବୋହୂଙ୍କର ନୁହେଁ। ମୁଁ ସେଗୁଡ଼ିକୁ ନପାଇବା ପର୍ଯ୍ୟନ୍ତ ସିକିମ୍ ଛାଡିବି ନାହିଁ।” ସେ ଦେଶବାସୀଙ୍କୁ ଦମ୍ପତିଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଏକ ଭାବପ୍ରବଣ ଅପିଲ୍ ମଧ୍ୟ କରିଛନ୍ତି।

ମେ’ ୫ ରେ ହୋଇଥିବା ବାହାଘର:  ପରିବାର ସଦସ୍ୟମାନେ କହିଛନ୍ତି ଯେ କୌଶଳେନ୍ଦ୍ର ଏବଂ ଅଙ୍କିତା ୨୦୨୫ ମସିହା ମେ’ ୫ ତାରିଖରେ ବିବାହ କରିଥିଲେ।  ଏହାପରେ ଉଭୟ ମେ’ ୨୫ ତାରିଖରେ ହନିମୁନ୍ ପାଇଁ ସିକିମ୍ ଯାଇଥିଲେ।

ପଟ୍ଟିର ଚିଭାଲହା ଗାଁର ବାସିନ୍ଦା ଅଙ୍କିତାଙ୍କ ବାପା ବିଜୟ ସିଂହ ଡାବ୍ବୁ ମଧ୍ୟ ସରକାରଙ୍କଠାରୁ କିଛି ଆଶ୍ୱସ୍ତି ପାଇବାକୁ ଆଶାବାଦୀ ଅଛନ୍ତି। ବିଜୟ ସିଂହ କହିଛନ୍ତି ଯେ ସେ ମେ’ ୨୯ ତାରିଖରେ ତାଙ୍କ ଝିଅ ସହିତ କଥା ହୋଇଥିଲେ ଏବଂ ସେ ବହୁତ ଖୁସି ଥିଲା। କିନ୍ତୁ ସେବେଠାରୁ ସେ ନିଖୋଜ ଅଛନ୍ତି।

ଯାହା ଫଳରେ ସମଗ୍ର ପରିବାରରେ ଶୋକର ବାତାବରଣ ରହିଛି। ତଥାପି ତାଙ୍କର ଏବେ ବି ଭଗବାନଙ୍କ ଉପରେ ବିଶ୍ୱାସ ଅଛି ଯେ, ତାଙ୍କ ଝିଅ ଏବଂ ଜ୍ୱାଇଁ ସୁରକ୍ଷିତ ଭାବରେ ଫେରି ଆସିବେ ବୋଲି ଆଶା ରଖିଛନ୍ତି।