fbpx

୨୦୨୭ରେ ଇଭିଏମ ମାଧ୍ୟମରେ ହେବ ପଞ୍ଚାୟତ ନିର୍ବାଚନ ମତଦାନ, ରାଜ୍ୟ ନିର୍ବାଚନ କମିଶନ କରୁଛନ୍ତି ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଥର ପଞ୍ଚାୟତ ନିର୍ବାଚନ ବାଲଟ ପେପରରେ ସମାପ୍ତ ହୋଇଛି । ତେବେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବୈଦ୍ୟୁତିକ ଭୋଟିଂ ମେସିନ (ଇଭିଏମ୍)ର ବ୍ୟବହାର କରାଯାଇପାରେ । ଏନେଇ ରାଜ୍ୟ ନିର୍ବାଚନ କମିଶନ (ଏସଇସି) ଯୋଜନା କରୁଥିବା ଜଣାପଡ଼ିଛି । ଏନେଇ ମାନସମନ୍ଥନ ଆରମ୍ଭ ହୋଇସାରିଥିବା ବେଳେ କାର୍ଯ୍ୟକାରୀ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

ଦେଶର ଏକାଧିକ ରାଜ୍ୟରେ ଇଭିଏମ ମାଧ୍ୟମରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଚଳିତ ଥର ଓଡ଼ିଶାରେ ବାଲଟ ପେପରରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ୩ ଦିନ ଧରି ଭୋଟ ଗଣତି ଚାଲିବା ପରେ ଫଳାଫଳ ପ୍ରକାଶ ପାଇଥିଲା । ତେବେ ଲୋକସଭା ଓ ବିଧାନସଭା ନିର୍ବାଚନ ଫଳାଫଳ ମାତ୍ର କେଇ ଘଣ୍ଟା ମଧ୍ୟରେ ପ୍ରକାଶ ପାଉଥିବା ବେଳେ ପଞ୍ଚାୟତ ନିର୍ବାଚନର ଫଳାଫଳ ବିଳମ୍ବକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି ।

ଏନେଇ ଏସଇସି କାର୍ଯ୍ୟାଳୟରର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ, ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଯଦି ଇଭିଏମ୍ ମାଧ୍ୟମରେ କରାଯାଏ, ତେବେ ବର୍ତ୍ତମାନ ପଦ୍ଧତିରେ ନିର୍ବାଚନ କେତେଦିନ ପର୍ଯ୍ୟନ୍ତ ଚାଲିବ ତାହା ଧାର୍ଯ୍ୟ କରିବା କଷ୍ଟକର । ଚଳିତ ଥର ୧୩ ଦିନରେ ୫ଟି ପର୍ଯ୍ୟାୟରେ ମତଦାନ ସହ ଗଣତି ସମାପ୍ତ ହୋଇଛି । ଆମ ରାଜ୍ୟର ପଞ୍ଚାୟତ ନିର୍ବାଚନର ୧ ଲକ୍ଷ ୬ ହଜାର ପଦବୀ ପାଇଁ ଇଭିଏମରେ ଭୋଟ ହେଲେ ପ୍ରାୟ ତିନି ମାସରୁ ଅଧିକ ସମୟ ଲାଗିଯିବ । ସମସ୍ତ ପଦବୀ ପାଇଁ ଇଭିଏମ୍ କିଣିଲେ ୨୧୨ କୋଟି ଖର୍ଚ୍ଚ ହେବ । ଏଥିସହ ସେଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍, ସେଡ୍ ହାଉସ୍ ନିର୍ମାଣ କରିବାକୁ ପଡ଼ିବ । ଆସନ୍ତା ୨୦୨୭ ମସିହା ମାର୍ଚ୍ଚ ମାସରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ଆସନ୍ତା ନିର୍ବାଚନରେ ଇଭିଏମର ବ୍ୟବହାର କରି କିପରି ସୁରୁଖୁରୁରେ ନିର୍ବାଚନ ସମ୍ପନ୍ନ ହୋଇପାରିବ ସେନେଇ ବିଚାରବିମର୍ଷ ଚାଲିଛି ।

Get real time updates directly on you device, subscribe now.