fbpx

ଉତ୍ତରଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଡାକ୍ତର, ଭରସା କମ୍ପାଉଣ୍ଡର୍

ଯାଜପୁର(ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲା ବିଞ୍ଝାରପୁର ଉତ୍ତରଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ବର୍ଷ ହେଲା ନାହାନ୍ତି ଡାକ୍ତର । ଜଣେ କମ୍ପାଉଣ୍ଡରଙ୍କ ହାତରେ ରହିଛି ସ୍ୱାସ୍ଥ୍ୟ ଭାର । ଫଳରେ ଲୋକଙ୍କୁ ୧୫କିମି ଦୌଡ଼ିବାକୁ ପଡୁଛି । ଏନେଇ ସାମାଜିକ କର୍ମୀ ବିଘ୍ନରାଜ କର ସମସ୍ତ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ଏପରିକି ଆନ୍ଦୋଳନାତ୍ମକ ପନ୍ଥା ଆପଣେଇଛନ୍ତି । ଲୋକଙ୍କ ହକ୍ ପାଇଁ ଲଢ଼ି ଚାଲିଛନ୍ତି । କିନ୍ତୁ ସରକାରୀ କଳର ମନ୍ଥରତା ପାଇଁ ଡାକ୍ତର ନିଯୁକ୍ତି ସମ୍ଭବପର ହୋଇପାରି ନାହିଁ । ଫଳରେ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ) କହନ୍ତି ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମିଶାଇ ମୋଟ ୨୬୩ ପୋଷ୍ଟରୁ ୧୨୨ ଡାକ୍ତର ଅଛନ୍ତି । ଆଉ ସବୁ ପୋଷ୍ଟ ବହୁଦିନ ଧରି ଫାଙ୍କା ପଡ଼ିଛି । ପ୍ରତି ୧୫ଦିନରେ ଥରେ ଏ ସମ୍ପର୍କରେ ସରକାରଙ୍କୁ ରିପୋର୍ଟ ଦେଉଛୁ । ତେଣୁ ସବୁ ସରକାରଙ୍କ ହାତର କଥା । ପ୍ଲେସ ଅଫ ପୋଷ୍ଟିଂ ସେମାନଙ୍କ ହାତରେ, ଆମ ହାତରେ କିଛି ନାହିଁ । ୮ଟି ସିଏଚସିରେ ଇନଚାର୍ଜ ନାହାନ୍ତି ୪ଟା ସିଏସସିରେ ଡାକ୍ତର ନାହାନ୍ତି । ବିଞ୍ଝାରପୁର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜଣେ ଡେଣ୍ଟିଷ୍ଟଙ୍କୁ ଦାୟୀତ୍ୱ ଦିଆଯାଇଛି । ସେହିପରି ଦୀର୍ଘ ବର୍ଷ ଧରି ରାଜନୀତିରେ ସକ୍ରିୟ ରହିଥିବା ବିଞ୍ଝାରପୁର ବିଧାୟିକା ମଧ୍ୟ ଏନେଇ ମୌନ । ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।

ରାଜ୍ୟରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଦିଆଯାଉଛି ବୋଲି ଡିଣ୍ଡିମ ପିଟା ଯାଉଥିବାବେଳେ ଜନସାଧାରଣ କିନ୍ତୁ ହନ୍ତସନ୍ତ ହେଉଛନ୍ତି । ରିପୋର୍ଟ ଅନୁସାରେ ପାଖାପାଖି ୫୧% ସରକାରୀ ମେଡିକାଲରେ ନାହାନ୍ତି ଡାକ୍ତର । ଏକ ଆରଟିଆଇ ତଥ୍ୟ ଅନୁଯାୟୀ ୨୦୨୦ ଏପ୍ରିଲ ସୁଦ୍ଧା ରାଜ୍ୟର ୮,୭୧୯ ଡାକ୍ତର ପଦରୁ ୪,୪୯୩ ପଦ ପଡ଼ିଛି ଫାଙ୍କା । କେବଳ ୩୬୮୨ ରେଗୁଲାର, ୫୧ ଆଡ-ହକ୍, ୪୦୭ ଚୁକ୍ତିଭିତ୍ତିକ ଏବଂ ଜିଲ୍ଲା ମିନେରାଲ ଫଣ୍ଡ ଦ୍ୱାରା ନିଯୁକ୍ତ ୮୦ ଡାକ୍ତର ରାଜ୍ୟର ସାହା ଭରସା ପାଲଟିଛନ୍ତି । ସେହିପରି ନର୍ସ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ରହିଛି । ତେବେ ବିଞ୍ଝାରପୁର ପାଇଁ ସାମାଜିକ କର୍ମୀ ଶ୍ରୀ କର ବାରମ୍ବାର ଦାବିପତ୍ର ଦେଇଆସୁଛନ୍ତି। ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି, ମନ୍ତ୍ରୀଙ୍କ ଦୃଷ୍ଟିପାତ, ସିଏମଓ, ୫ଟି ଏବଂ ବିଭାଗୀୟ ଅଧିକାରୀଙ୍କୁ ଟ୍ୱିଟ କରିଛନ୍ତି । କିନ୍ତୁ କିଛି ଫରକ ପଡ଼ିଲାନି ବୋଲି ଶ୍ରୀ କର କ୍ଷୋଭ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.