ନା Exam, ନା Interview… ସିଧା DSP-SDO ପଦରେ ମିଳିବ ଚାକିରି, ସରକାରଙ୍କ ନୂଆ ଯୋଜନା

ଓଡ଼ିଶା ଭାସ୍କର: ପୋଲିସ ବିଭାଗରେ ଚାକିରି କରିବା ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । କୌଣସି ପରୀକ୍ଷା ଏବଂ କୌଣସି ଇଣ୍ଟରଭ୍ୟୁ ବିନା ଡିଏସପି ଏବଂ ଏସଡିଓ ଭଳି ବିଭିନ୍ନ ପଦ ପଦବୀରେ ନିଯୁକ୍ତି ପାଇପାରିବେ ଇଚ୍ଛୁକ ପ୍ରାର୍ଥୀ । ଏକ ନୂଆ ଯୋଜନା ଅଧୀନରେ ଏହି ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ତେବେ ଆସନ୍ତା ଡିସେମ୍ବର ୫ ତାରିଖ ସୁଦ୍ଧା ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ପୋଲିସ ବିଭାଗରେ ବଡ଼ ସରକାରୀ ଚାକିରି ପାଇବା ପାଇଁ ପ୍ରକୃତ ହିତାଧିକାରୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି ।

ତେବେ ବିହାର ସରକାରଙ୍କ ତରଫରୁ ଏହି ଯୋଜନା ଆରମ୍ଭ ହୋଇଯାଇଛି । ଏଥିପାଇଁ ସରକାର ଏକ ପୋର୍ଟାଲ ମଧ୍ୟ ଖୋଲିଛନ୍ତି । ‘ମେଡାଲ ଲାଓ ଔର ନୌକରି ପାଓ’ ଯୋଜନା ଅଧୀନରେ ଏହି ନିଯୁକ୍ତି ପ୍ରଦାନ କରୁଛନ୍ତି ବିହାର ସରକାର । ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ମୋଟ ୩୪୨ ଜଣ ଖେଳାଳି ଲାଭବାନ୍ ହୋଇ ସାରିଛନ୍ତି । ସମସ୍ତ ଖେଳାଳିଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ନିୟୋଜିତ କରିଛନ୍ତି ସରକାର । ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ବିଭିନ୍ନ କ୍ରୀଡ଼ାରେ ମେଡାଲ ହାସଲ କରିଥିବା ଖେଳାଳି ମାନଙ୍କୁ ଏଥିରେ ସୁଯୋଗ ଦିଆଯିବ । ଏହି ଖେଳାଳି ମାନେ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ ।

ବିହାର ସରକାରଙ୍କ ଏହି ଯୋଜନାରେ ଆବେଦନ କରିବାକୁ ଚାହୁଁଥିବା ଖେଳାଳି ବିହାର ଖେଳ ପ୍ରାଧିକରଣର ଅଫିସିଆଲ ୱେବସାଇଟ ରେ ଆବେଦନ କରିପାରିବେ । ତେବେ ଡିସେମ୍ବର ୫ ତାରିଖ ମଧ୍ୟରେ ଏଥିରେ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ ।

କିଏ ହେବେ ଯୋଗ୍ୟ ପ୍ରାର୍ଥୀ?

  • ଏହି ଯୋଜନାର ଫାଇଦା ଉଠାଇବା ପାଇଁ ପ୍ରାର୍ଥୀ ବିହାରର ମୂଳ ନିବାସୀ ହୋଇଥିବା ନିହାତି ଆବଶ୍ୟକ ।
  • ଅନ୍ୟ ପ୍ରଦେଶ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ବିଭାଗରେ ନିୟୋଜିତ ଥିବା କର୍ମଚାରୀ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ ।
  • ଆବେଦକଙ୍କ ବୟସ ଅତି କମରେ ୧୮ ବର୍ଷ ହୋଇଥିବା ଆବଶ୍ୟକ (୨୦୨୪ ଅଗଷ୍ଟ ସୁଦ୍ଧା) । ସର୍ବାଧିକ ବୟସ ପାଇଁ କୌଣସି ବୟସ ସୀମା ରଖା ଯାଇନାହିଁ ।
  • ଏହି ଯୋଜନାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ସ୍କେଲ-୧ ଏବଂ ସ୍କେଲ-୨ ପଦରେ ମଧ୍ୟ ନିଯୁକ୍ତି ଦିଆଯାଇପାରେ ।
  • ତେବେ ଡିଏସପି ଏବଂ ଏସଡିଓ ପଦବୀରେ ସିଧାସଳଖ ନିଯୁକ୍ତି ମିଳିପାରିବ ।