fbpx

ମଦକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ଦୋକାନରେ କେହି ମଦ ପିଇ ପାରିବେନି, ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମଦ୍ୟପାନ ଯୁବପୀଢ଼ିଙ୍କ ଏକ ଖରାପ ଅଭ୍ୟାସରେ ପରିଣତ ହୋଇଛି । ମଦ ନିଶାରେ ପାଗଳ ହୋଇ ଅନେକ ବୟସ୍କ ବ୍ୟକ୍ତି ନିଜ ଜୀବନକୁ ନଷ୍ଟ କରିଦେଉଥିବା ଦେଖାଯାଉଛି । ଏପରିକି ଅନେକ ଲୋକ ଅକାଳରେ ମୃତ୍ୟୁବରଣ କରିବା ସହ ବହୁ ପରିବାର ମଧ୍ୟ ଭାଙ୍ଗିଯାଉଛି । ମଦର ଖରାପ ଉପଯୋଗ ଆମ ପରିବାର, ଆଗାମୀ ପୀଢ଼ି ଓ ସମାଜ ପାଇଁ ସତେ ଯେମିତି ଏକ ଅଭିଶାପରେ ପରିଣତ ହୋଇଛି ।

ତେବେ ଏହା ମଧ୍ୟରେ ମଦକୁ ନେଇ ମଧ୍ୟପ୍ରଦେଶ କ୍ୟାବିନେଟରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଖରାପ ଅଭ୍ୟାସକୁ ଦୂରେଇବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ନୂଆ ନିୟମ ଅନୁଯାୟୀ, ଲୋକମାନେ ଦୋକାନରୁ ମଦ କିଣିପାରିବେ, ମାତ୍ର ସେଠାରେ ବସି ପିଇ ପାରିବେ ନାହିଁ । ଏଥିସହିତ ଗାର୍ଲସ ହଷ୍ଟେଲ ଓ ସମସ୍ତ ପ୍ରକାରର ଶିକ୍ଷାନୁଷ୍ଠାନଠାରୁ ୧୦୦ ମିଟର ଦୂରରେ ମଦ ଦୋକାନ ଖୋଲିପାରିବ ନାହିଁ ବୋଲି କୁହାଯାଇଛି ।

ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି, ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କର ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରିବାର ନିୟମକୁ ଆହୁରି କଠୋର କରାଯିବ । ରାଜ୍ୟରେ ମଦକୁ ନେଇ ପୂର୍ବାପେକ୍ଷା ଏଣିକି ଅଧିକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ ମଦ ଉପରେ କଟକଣା ଲାଗୁ କରିବା ନେଇ ପୂର୍ବରୁ ଦାବି ଉଠାଇ ଆସୁଥିଲେ । ଏବେ ଶିବରାଜ ସରକାରଙ୍କ ତରଫରୁ ମଦକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.