fbpx

ମେଡିସିନ୍ ପାଇଁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ୨୦୨୩ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ମେଡିସିନ ପାଇଁ କ୍ୟାଟଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କୁ ୨୦୨୩ ବର୍ଷ ପାଇଁ ନୋବେଲ ପୁରସ୍କାର ମିଳିବ । କୋଭିଡ ଭ୍ୟାକି୍ସନ କ୍ଷେତ୍ରରେ ଗବେଷଣା ପାଇଁ ଏହି ଦୁଇ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ଉଭୟ ବୈଜ୍ଞାନିକ କୋଭିଡ-୧୯ ମହାମାରୀକୁ ରୋକିବା ପାଇଁ ଏମଆରଏନଏ ଭ୍ୟାକ୍ସିନ ବିକଶିତ କରିଥିଲେ । ୨୦୨୦ରେ ବ୍ୟାପିଥିବା କୋଭିଡ-୧୯ ମହାମାରୀକୁ ରୋକିବା ପାଇଁ ଏହି ଦୁଇ ବୈଜ୍ଞାନିକ ଉଚ୍ଚକ୍ଷମତାସମ୍ପନ୍ନ ଭ୍ୟାକ୍ସିନ ପ୍ରସ୍ତୁତ କରିଥିଲେ ।

ଏହି ଭ୍ୟାକ୍ସିନ ଜରିଆରେ କ୍ୟାଟଲିନ ଓ ଡ୍ରିଉ ସାରା ବିଶ୍ୱବାସୀଙ୍କ ଭାବନାକୁ ବଦଳାଇବାରେ ସକ୍ଷମ ହୋଇଥିଲେ । ଏହାଫଳରେ ବିଶ୍ୱର କୋଣ ଅନୁକୋଣର ବୈଜ୍ଞାନିକମାନେ ଶରୀରରେ ସୃଷ୍ଟି ହେବାକୁ ଥିବା ଇମ୍ୟୁନ ସିଷ୍ଟମର ଆକ୍ସନ ଓ ରିଆକ୍ସନକୁ ଅଧିକ ସଠିକ୍ ଭାବେ ବୁଝିପାରିଥିଲେ । ଯେତେବେଳେ ସାରା ବିଶ୍ୱରେ କରୋନା ଭୟଙ୍କର ଭାବେ ପ୍ରଭାବ ବିସ୍ତାର କରିଥିଲା ସେ ସମୟରେ ବିମାରୀର କୌଣସି ଚିକିତ୍ସା ନଥିବାରୁ ଲୋକମାନେ ଅତ୍ୟନ୍ତ ଚିନ୍ତିତ ଅବସ୍ଥାରେ ରହିଥିଲେ ଓ ବୈଜ୍ଞାନିକମାନେ ମେଡିସିନର ସନ୍ଧାନ କରୁଥିଲେ ।

ପ୍ରତି ଦେଶରେ କରୋନାର ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏପରି ସ୍ଥିତିରେ ମହାମାରୀକୁ ରୋକିବା ପାଇଁ ଭ୍ୟାକ୍ସିନ ବିକଶିତ କରିବା ନେଇ ବୈଜ୍ଞାନିକଙ୍କ ଉପରେ ବହୁତ ଚାପ ରହିଥିଲା । କ୍ୟାଟଲିନ ୧୯୫୫ ମସିହାରେ ହଙ୍ଗେରୀର ଜୋଲନୋକରେ ଜନ୍ମଗ୍ରହଣ କରିଥିବା ବେଳେ ସେ ୧୯୮୨ରେ ଜେଗେଡ ୟୁନିଭରସିଟିରେ ପିଏଚଡି କରିଥିଲେ । ସେହିପରି ଡ୍ରିଉ ୧୯୫୯ରେ ମାସାଚୁଚେଟସରେ ଜନ୍ମଗ୍ରହଣ କରିଥିବା ବେଳେ ସେ ୧୯୮୭ରେ ବୋଷ୍ଟନ ୟୁନିଭରସିଟିରେ ପିଏଚଡି କରିଥିଲେ ।

Get real time updates directly on you device, subscribe now.