fbpx

Civil Service କୋଚିଂ ବାବଦରେ ଖର୍ଚ୍ଚ ହେଲା ଦୁଇକୋଟି ୪୦ ଲକ୍ଷ, ମାତ୍ର ରାଜ୍ୟରୁ ପାଇଲେନି ଜଣେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ନିମ୍ନମାନର ପ୍ରଦର୍ଶନକୁ ନେଇ ପୂର୍ବରୁ ଅନେକ ବାର ଅଭିଯୋଗ ହୋଇଆସୁଥିଲା । ତେଣୁ ଏହାକୁ ଦୃଷ୍ଟିର ରଖି ୨୦୧୬ରେ ରାଜ୍ୟ ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୮ଟି ସରକାରୀ ବିଶ୍ୱବିଦ୍ୟାଳୟରେ ସିଭିଲ୍ ସର୍ଭିସ୍ କୋଚିଂ ଦେବା ପାଇଁ ଯୋଜନା ଆରମ୍ଭ କରିଥିଲେ । ତେବେ ଏହି ଯୋଜନା ମାଧ୍ୟମରେ ତାଲିମ୍ ନେଇ ରାଜ୍ୟର ପିଲାମାନେ ସଫଳତା ହାସଲ କରିବେ ବୋଲି ଆଶା କରାଯାଉଥିଲା । ମାତ୍ର ତାହା ଏବେ ପାଣିରେ ମିଳେଇ ଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୪୦ ଲକ୍ଷ ଟଙ୍କା କୋଚିଂ ବାବଦକୁ ଖର୍ଚ୍ଚ ହୋଇସାରିଥିଲେ ହେଁ ରାଜ୍ୟରୁ ଜଣେ ହେଲେ ପିଲା ସିଭିଲ୍ ସର୍ଭିସ୍ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି ।

ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ,୨୦୧୬ରେ ୬ଟି ବିଶ୍ୱବିଦ୍ୟାଳୟ ଓ ୨୦୧୭ରେ ୨ଟି ବିଶ୍ୱବିଦ୍ୟାଳୟର ଏହି କୋଚିଂ ଆରମ୍ଭ କରାଯାଇଥିଲା । ୨୦୧୬ରୁ ୧୮ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ୩୦ ଲକ୍ଷ, ବ୍ରହ୍ମପୁର, ସମ୍ବଲପୁର, ରେଭେନ୍ସା, ରମାଦେବୀ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ୨୬ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସଫଳତା ମିଳିନଥିବାରୁ ଏହି ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଲାଣି । ୨୦୧୭-୧୮ରେ ଯୋଜନା ଓ ମନିଟରିଂ ଅଭାବରୁ ଏହି ଯୋଜନା ବନ୍ଦ ହୋଇଯାଇଥିବା ସିଏଜି ରିପୋର୍ଟରେ କୁହାଯିବା ସହ କୋଚିଂ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଯାଇଛି ।

Get real time updates directly on you device, subscribe now.