fbpx

ଚାକିରି କ୍ଷେତ୍ରରେ ରହିବନି Reservation: ପ୍ରାଇଭେଟ ଚାକିରିରେ ୧୦୦% ସଂରକ୍ଷଣ ନିଷ୍ପତ୍ତିରେ ରୋକ

ନୂଆଦିଲ୍ଲୀ: କର୍ଣ୍ଣାଟକର ସିଦ୍ଧରମୈୟା ସରକାର ଏବେ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ପ୍ରାଇଭେଟ ଚାକିରି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ୧୦୦% ରିଜର୍ଭେସନ୍ ଦେବାର ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ସରକାର । ଏହି ନିଷ୍ପତ୍ତିକୁ ଅନେକ ବିରୋଧ ହୋଇଥିବା ବେଳେ ସରକାର ନିଜ ଘରେ ହିଁ ଘେରି ହୋଇଯାଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟକୁ ଡିଲିଟ କରିବା ପାଇଁ ବାଧ୍ୟ ହୋଇଛନ୍ତି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସଂଗଠନ, ଶିଳ୍ପ ଇତ୍ୟାଦିରେ କନ୍ନଡିଗାଓଁ ପାଇଁ ସଂରକ୍ଷଣ ଦେବା ପାଇଁ କ୍ୟାବିନେଟ ଦ୍ୱାରା ଅନୁମୋଦିତ ବିଲ୍ ସାମୟିକ ଭାବରେ ସ୍ଥଗିତ ରଖାଯାଇଛି । ଆଗାମୀ ଦିନରେ ଏହା ଉପରେ ପୁଣିଥରେ ବିଚାର କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ସୂଚନା ଅନୁସାରେ, ନିଜ ଇଲାକାରେ ସ୍ଥାନୀୟ ଲୋକଙ୍କୁ ଚାକିରି ପାଇଁ ୧୦୦% ସଂରକ୍ଷଣ ଉପରେ ଏକ ବିଲ୍ ପାରିତ କରିଥିଲା କର୍ଣ୍ଣାଟକ କ୍ୟାବିନେଟ । ତେବେ ଏହା ଆଇନରେ ପରିଣତ ହୋଇନାହିଁ । ଅର୍ଥାତ୍ ଯଦି କୌଣସି କମ୍ପାନୀକୁ ଗ୍ରୁପ୍ ସି ଏବଂ ଡି’ ପଦ ପାଇଁ କର୍ମଚାରୀଙ୍କ ଆବଶ୍ୟକ ହୁଏ, ତେବେ ଏଥି ପାଇଁ କେବଳ ସ୍ଥାନୀୟ ଲୋକଙ୍କୁ ହିଁ ଚାକିରିରେ ରଖିପାରିବେ କମ୍ପାନୀ ।

ମ୍ୟାନେଜର ବା ମ୍ୟାନେଜମେଣ୍ଟ ସ୍ତରର ପଦରେ ମଧ୍ୟ ସ୍ଥାନୀୟ ଲୋକଙ୍କ ପାଇଁ ୫୦% ସଂରକ୍ଷଣ ଦେବାକୁ କୁହାଯାଇଥିଲା । ଏହାବ୍ୟତୀତ କେବଳ ଏତିକି ନୁହେଁ, ଅଣ-ପରିଚାଳନା ଚାକିରିରେ ୭୫% ସଂରକ୍ଷଣ ଦିଆଯାଉଥିଲା । ଅର୍ଥାତ୍ ଏହି ପଦବୀରେ କେବଳ କନ୍ନଡ଼ ଲୋକେ ହିଁ ଚାକିରି କରିପାରିବେ । କର୍ଣ୍ଣାଟକ ସରକାରଙ୍କର ଏହି ନିଷ୍ପତ୍ତି ବିରୋଧରେ ଖୁବ ସ୍ୱର ଉତ୍ତୋଳନ ହୋଇଥିଲା । ଅନେକ ଶିଳ୍ପାନୁଷ୍ଠାନ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏପରିକି ଏହି ନିୟମ ଲାଗୁ ହେଲେ, କମ୍ପାନୀ କର୍ଣ୍ଣାଟକ ଛାଡ଼ି ଚାଲିଯିବେ ବୋଲି ମଧ୍ୟ କୁହାଯାଇଥିଲା । ସେପଟେ ଆନ୍ଧ୍ର ପ୍ରଦେଶ ସମେତ ବିଭିନ୍ନ ରାଜ୍ୟ ଏହାର ଫାଇଦା ଉଠାଇବା ପାଇଁ ବିଭିନ୍ନ କମ୍ପାନୀଙ୍କୁ ଅଫର୍ ମଧ୍ୟ ପ୍ରଦାନ କରିଛନ୍ତି । ତେବେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସାମନାକୁ ଆସି ଏହି ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି ।

ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ମଧ୍ୟ କହିଛନ୍ତି ଯେ, କୌଣସି ନିବେଶକ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆମେ ଚାହୁଁ ନିବେଶକମାନେ କର୍ଣ୍ଣାଟକକୁ ଆସନ୍ତୁ। ଏଠାରେ ଦକ୍ଷ ତଥା ରାଜ୍ୟ ବାହାରେ ଆସିଥିବା ଲୋକମାନଙ୍କୁ କର୍ଣ୍ଣାଟକରେ କାମ ଦେବା ପାଇଁ ସରକାର ପ୍ରୟାସ କରୁଛନ୍ତି । ଏଠାରେ କାମ କରିବା ପାଇଁ ବାହାର ଲୋକ ଆସୁଥିବାରୁ ବର୍ତ୍ତମାନ ବେଙ୍ଗାଲୁରୁର ଜନସଂଖ୍ୟା ୧.୪ କୋଟିକୁ ବୃଦ୍ଧି ପାଇଛି।

Get real time updates directly on you device, subscribe now.