fbpx

ବିହାରର ଏହି ଗାଁରୁ କେହି ଜଣେ ବି ଦେଲେନି ଭୋଟ୍‌, କ’ଣ ରହିଛି କାରଣ

ନବାଦା: ବିହାରର ନବାଦା ସଂସଦୀୟ କ୍ଷେତ୍ର ଗୋବିନ୍ଦପୁର ବିଧାନସଭା ଅନ୍ତର୍ଗତ କୋଆକୋଲ ପ୍ରଖଣ୍ଡର ବୁଥ୍ ସଂଖ୍ୟା ୩୨୮ରେ ଲୋକସଭା ନିର୍ବାଚନକୁ ନେଇ ଜଣେ ବି ମତଦାତା ଭୋଟ ଦାନ କରିନାହାନ୍ତି । ଏଠାରେ ମତଦାନ କେନ୍ଦ୍ରକୁ ସେମାନଙ୍କ ଗାଁରୁ ସ୍ଥାନାନ୍ତରୀତ କରି ଅନ୍ୟ ଗାଁକୁ ନିଆଯାଇଥିବାରୁ ଗ୍ରାମବାସୀ ବହୁତ ନାରାଜ ଅଛନ୍ତି । ଏହି କାରଣରୁ ସେମାନେ ଅସନ୍ତୋଷ ପ୍ରକାଶ କରି ଭୋଟ ଦେଇନାହାନ୍ତି ।

ପୂର୍ବ ନିର୍ବାଚନରେ ବି ଏହି ବୁଥ୍‌ରେ ଲୋକମାନେ ଭୋଟ ଦେଇ ନ ଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କ ସମସ୍ୟାର ସମାଧାନ କରାଯାଇନାହିଁ । ପୋଲିଂ ଅଧିକାରୀ ରାଜ କୁମାର ପ୍ରସାଦ ସିହ୍ନା କହିଛନ୍ତି ଏହି ବୁଥ୍‌ରେ ଜଣେ ବି ଭୋଟର ମତଦାନ କରିନାହାନ୍ତି । ଅଧିକାରୀ କହିଛନ୍ତି ବୁଥ୍ ୩୨୮ରେ ମୋଟ ୭୬୨ ଭୋଟରଙ୍କ ମଧ୍ୟରେ ୩୯୧ ପୁରୁଷ ଓ ୩୭୧ ମହିଳା ଅଛନ୍ତି । କିନ୍ତୁ ଶୁକ୍ରବାର ଦ୍ୱିପ୍ରହର ସୁଦ୍ଧା ଏହି ମତଦାନ କେନ୍ଦ୍ରରେ ଜଣେ ହିଁ ମତଦାତା ଭୋଟ ଦେବାକୁ ପହଞ୍ଚି ନାହାନ୍ତି । ଏପରିକି ଏହି ମତଦାନ କେନ୍ଦ୍ରରେ କୌଣସି ବି ରାଜନୈତିକ ଦଳ ଅଥବା ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ପୋଲିଂ ଏଜେଣ୍ଟ ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି ।

ଗ୍ରାମୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦନିଆ ଗ୍ରାମର ମତଦାତାଙ୍କ ବୁଥ୍ ସେମାନଙ୍କ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଦନିଆରେ ହିଁ ଥିଲା । କିନ୍ତୁ ସୁରକ୍ଷା କାରଣରୁ ପ୍ରଶାସନ ଏହି ବୁଥ୍‌କୁ ବାରମ୍ବାର ଉତ୍କ୍ରମିତ ମାଧ୍ୟମିକ ବିଦ୍ୟାଳୟ ପଚମ୍ବାକୁ ସ୍ଥାନାନ୍ତରୀତ କରି ଦିଆଯାଉଛି । ଗ୍ରାମବାସୀଙ୍କ ଅଭିଯୋଗ ଏହି ଗ୍ରାମକୁ ଯିବା ପାଇଁ ସଡକ ମାର୍ଗ ବ୍ୟବସ୍ଥା ନାହିଁ । ତେଣୁ ସେମାନେ ଭୋଟ ବର୍ଜନ କରିଛନ୍ତି ।

Get real time updates directly on you device, subscribe now.