fbpx

ରିଷଭ କି ରାହୁଲ ନୁହେଁ, ଦିନେଶ କାର୍ତ୍ତିକ ଖେଳିବେ ଟି-୨୦ ବିଶ୍ୱକପ! BCCI ଦେବ କି ସୁଯୋଗ?

ନୂଆଦିଲ୍ଲୀ: IPL-2024ରୁ ଟି-୨୦ ବିଶ୍ୱକପ ପାଇଁ ଚୟନ ହେବ ଟିମ ଇଣ୍ଡିଆ । ତେବେ ଭାରତୀୟ ଦଳରେ ଅଧିକାଂଶ ସ୍ଥାନରେ ଅନେକ ଖେଳାଳି ଜାଗା ପକ୍କା କରି ସାରିଥିବା ବେଳେ ଆଉ କିଛିଟା ସ୍ଥାନ ପାଇଁ ଖେଳାଳିଙ୍କ ଚୟନ କରାଯିବ । କିନ୍ତୁ ଏହି ଦଳ ପାଇଁ ବିସିସିଆଇକୁ ସବୁଠୁ ବଡ଼ ସମସ୍ୟା ପାଲଟିଛି ୱିକେଟ କିପର ଚୟନ । ଭାରତୀୟ ଦଳରେ ଏକାଧିକ ୱିକେଟକିପରଙ୍କ ଅପ୍ସନ ରହିଥିବା ବେଳେ ଦ୍ୱନ୍ଦ୍ୱରେ ପଡ଼ିଯାଇଛି ଭାରତୀୟ ଚୟନ କମିଟି । ବିଶ୍ୱକପରେ ସୁଯୋଗ ପାଇବା ପାଇଁ ୱିକେଟ କିପରଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ତେବେ ବର୍ତ୍ତମାନ ଏହି ତାଲିକାରେ ସାମିଲ ହୋଇଛନ୍ତି ଭେଟେରାନ୍ ୱିକେଟ କିପର ଦିନେଶ କାର୍ତ୍ତିକ । ଦମଦାର ପ୍ରଦର୍ଶନ କରି ସେ ମଧ୍ୟ ନିଜକୁ ବିଶ୍ୱକପ ପାଇଁ ପ୍ରସ୍ତୁତ ବୋଲି ଦେଖାଇଛନ୍ତି ।

ଆଇପିଏଲ ପ୍ରଦର୍ଶନ ଆଧାରରେ ଟି-୨୦ ବିଶ୍ୱକପ ପାଇଁ ଦଳ ଚୟନ କରିବ ବିସିସିଆଇ । ଦଳରେ ୬ ଜଣ ଖେଳାଳିଙ୍କ ସ୍ଥାନ ପକ୍କା ରହିଛି । ତେବେ ବିଶ୍ୱକପ ପାଇଁ ୱିକେଟ କିପର ଭୂମିକାକୁ ନେଇ ଚିନ୍ତାରେ ପଡ଼ିଛି ଭାରତୀୟ ଚୟନ କମିଟି । ଆଇପିଏଲରେ ଭାରତର ଅଧିକାଂଶ ୱିକେଟ କିପର ଦମଦାର ଫର୍ମରେ ଥିବା ନଜର ଆସିଛନ୍ତି । ରିଷଭ ପନ୍ତ, ଇଶାନ୍ କିଶାନ ଏବଂ କେ.ଏଲ ରାହୁଲ ଏହି ତାଲିକାରେ ଆଗରେ ଥିବା ବେଳେ ଏବେ ଦିନେଶ କାର୍ତ୍ତିକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ପକ୍ଷରୁ ବିସ୍ପୋରକ ବ୍ୟାଟିଂ କରି ସେ ନିଜକୁ ବିଶ୍ୱକପ ପାଇଁ ଫିଟ ବୋଲି ଇସାରା କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଧୂଆଁଦାର ବ୍ୟାଟିଂ କରିଛନ୍ତି କାର୍ତ୍ତିକ । ହାଇଦ୍ରାବାଦ ବିପକ୍ଷରେ କାର୍ତ୍ତିକ ମାତ୍ର ୩୫ ବଲରୁ ୮୩ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି । ଏହି ପାରିରେ ୫ଟି ଚୌକା ଏବଂ ୭ଟି ବିଶାଳ ଛକା ସାମିଲ ରହିଛି । ଏଥିରେ ସିଜନର ସର୍ବବୃହତ ୧୦୮ ମିଟର ଲମ୍ବା ଛକା ମଧ୍ୟ ଦେଖିବାକୁ ମିଳିଛି ।

ଚଳିତ ସିଜନରେ ବେଙ୍ଗଲୁରୁ ୭ଟି ମ୍ୟାଚ ଖେଳିଥିବା ବେଳେ ୬ଟି ଇନିଂସରୁ ୨୨୬ ରନ୍ ସଂଗ୍ରହ କରିଛନ୍ତି ଦିନେଶ କାର୍ତ୍ତିକ । ଆଇପିଏଲ-୨୦୨୪ରେ କାର୍ତ୍ତିକ ବର୍ତ୍ତମାନ ସୁଦ୍ଧା ମୋଟ ୧୬ଟି ଚୌକା ଏବଂ ୧୮ଟି ଛକା ମାରି ସାରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ କାର୍ତ୍ତିକ ୫୩ ରନର ଦମଦାର ଇନିଂସ ଖେଳିଥିବା ବେଳେ ହାଇଦ୍ରାବାଦ ବିପକ୍ଷରେ ୮୩ ରନ୍ କରି ବିଶ୍ୱକପ ପାଇଁ ଚୟନ କମିଟିକୁ ଇସାରା କରିଛନ୍ତି । ତେବେ ଆଇପିଏଲରେ ଟିମ ଇଣ୍ଡିଆର ୫ ଜଣ ଷ୍ଟାର ୱିକେଟ କିପର ଦମଦାର ପ୍ରଦର୍ଶନ କରୁଥିବା ବେଳେ କାହାକୁ ସୁଯୋଗ ମିଳିବ, ସେନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି ।

Get real time updates directly on you device, subscribe now.