fbpx

ବିଶିଷ୍ଟ ସାହିତ୍ୟିକା କିରଣବାଳା ରଥଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରସ୍ୱତ ତଥା ଶିକ୍ଷା ଜଗତରୁ ଆସିଛି ଏକ ଦୁଃଖଦ ଖବର । ରାଜ୍ୟର ଜଣେ ବିଶିଷ୍ଟ ସାହିତ୍ୟିକାଙ୍କର ପରଲୋକ ଘଟିଛି । ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷା ତଥା ସାହିତ୍ୟିକା ଡ. କିରଣବାଳା ରଥ ଆଉ ନାହାନ୍ତି । ରାଜଧାନୀ ଭୁବନେଶ୍ୱରର ନନ୍ଦନ ବିହାର ସ୍ଥିତ ନିଜ ବାସଭବନରେ କିରଣବାଳା ୭୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ବାଲ୍ୟକାଳରୁ ସାହିତ୍ୟ ପ୍ରତି କିରଣବାଳାଙ୍କର ଗଭୀର ରୁଚି ରହିଥିଲା । ତାଙ୍କର କୃତୀ ମଧ୍ୟରେ ‘ଶେଷ ମୂର୍ଚ୍ଛନାର ସ୍ୱରଲିପି, ‘ଅସ୍ଥିର ଆକାଶ’, ପୂଣ୍ୟଶ୍ଲୋକ ଗୋପାଳକୃଷ୍ଟ’, ‘ସଦଗୁରୁ ଚେତନାନନ୍ଦ’ ଆଦି ରହିଛି । ଆକାଶବାଣୀ ଓ ଦୂରଦର୍ଶନରେ ସେ ଦୀର୍ଘ ୧୪ ବର୍ଷ ଧରି ରଥଯାତ୍ରା ସମ୍ପର୍କୀତ ବିବରଣୀ ପ୍ରଦାନ କରିଥିଲେ । ଏଥିସହିତ ସେ ବିଭିନ୍ନ ଆଧ୍ୟାତ୍ମିକ ଚାନେଲରେ ଆଲୋଚନାରେ ଭାଗ ନେବା ସହିତ ତାଙ୍କର ଅନେକ ପ୍ରବନ୍ଧ, ଆଲୋଚନା, ଗଳ୍ପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା ।

୧୯୫୦ ମସିହା ଜୁଲାଇ ମାସ ୧୫ ତାରିଖରେ କିରରଣବାଳା ଜନ୍ମଗ୍ରହଣ କରିଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ କବି ଡ. ଗୋପାଳକୃଷ୍ଣ ରଥଙ୍କ ପତ୍ନୀ । କଟକର ଶୈଳବାଳା କଲେଜରୁ ଉଚ୍ଚଶିକ୍ଷା ଲାଭ କରିବା ପରେ କିରଣବାଳା ଦେବଗଡ଼, ଝାରସୁଗୁଡ଼ା କଲେଜରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଅଧ୍ୟାପନା କରିଥିଲେ । ସେ କଲେଜରେ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବା ସହିତ ବିଶ୍ୱବିଦ୍ୟାଳୟ ସ୍ତରରେ ବୋର୍ଡ ଅଫ୍ ଷ୍ଟଡିଜ ସଦସ୍ୟା ଭାବେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ । ପୂର୍ବରୁ ୩ ପୁତ୍ର ଓ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ଶେଷରେ କିରଣବାଳା ଜୀବନ ଯୁଦ୍ଧରେ ଲଢ଼େଇ କରି ହାରି ଯାଇଛନ୍ତି ।

Get real time updates directly on you device, subscribe now.