fbpx

ଅଦାନୀ ମାମଲାରେ ରାହୁଲଙ୍କୁ ନୋଟିସ୍: PM ମୋଦୀଙ୍କ ବିରୋଧରେ ଦେଇଥିଲେ ଅସଂସଦୀୟ ମନ୍ତବ୍ୟ

Advertisement

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଅଦାନୀ ଝଡ଼କୁ ନେଇ ରାଜନୀତି ସରଗରମ୍ ରହିଛି । ତେବେ ଅଦାନୀ ମାମଲାରେ ନିକଟରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଅସଂସଦୀୟ ମନ୍ତବ୍ୟ ଦେଇଥିଲେ । ଏହି ମାମଲାରେ ରାହୁଲଙ୍କୁ ଏକ ନୋଟିସ୍ ଜାରି କରାଯାଇଛି ଓ ତା’ର ଜବାବ ଆସନ୍ତା ୧୫ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି । ଲୋକସଭା ସଚିବାଳୟ ପକ୍ଷରୁ ଏହି ନୋଟିସ୍ ପଠାଯାଇଥିବା ଜଣାପଡ଼ିଛି ।

ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପକ୍ଷରୁ ରାହୁଲଙ୍କ ବିରୋଧରେ ବିଶେଷାଧିକାର ପୂର୍ଣ୍ଣ ନୋଟିସ୍ ପଠାଯାଇଛି । ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ଗତ ୧୦ ତାରିଖରେ ଏକ ପତ୍ର ଲେଖାଯାଇ ତାହାକୁ ୧୫ ତାରିଖ ସୁଦ୍ଧା ଲୋକସଭା ଅଧ୍ୟକ୍ଷଙ୍କ ନିକଟରେ ବିଚାର ପାଇଁ ଦାଖଲ କରିବାକୁ କୁହାଯାଇଛି । ଗାନ୍ଧି ହିଣ୍ଡେନବର୍ଗ-ଅଦାନୀ ପ୍ରସଙ୍ଗକୁ ନେଇ ବୟାନ ଦେଇଥିଲେ ।

ଦୁଇ ବିଜେପି ସାଂସଦ ଏହି ନୋଟିସ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲାଙ୍କ ନିକଟକୁ ପଠାଇଛନ୍ତି । ସେଥିରେ ଅଭିଯୋଗ କରାଯାଇଛି ଯେ, ଗାନ୍ଧିଙ୍କ ଟିପ୍ପଣୀ ଆଧାରହୀନ ଥିଲା । ସେ ଖରାପ, ଅସଂସଦୀୟ ଓ ଅପମାନଜନକ ଭାଷା ବ୍ୟବହାର କରିଥିଲେ । ଅନ୍ୟପକ୍ଷରେ କଂଗ୍ରେସର ରାଜ୍ୟସଭା ସଦସ୍ୟଙ୍କୁ ନିଲମ୍ବିତ କରିବା ସିଧାସଳଖ ପକ୍ଷପାତିତା ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ବିଜେପି ସଂସଦରେ ଅରାଜକତା ଓ ସଂଘର୍ଷ ଚଳାଇବାକୁ ଚାହୁଁଛି ବୋଲି କଂଗ୍ରେସ ପ୍ରବକ୍ତା ଅଭିଷେକ ମନୁ ସିଙ୍ଘଭୀ କହିଛନ୍ତି ।

Get real time updates directly on you device, subscribe now.