fbpx

କେବଳ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା: ଭୁବନେଶ୍ୱରରୁ ପୁରୀ-କୋଣାର୍କକୁ ଗଡ଼ିବ ମେଟ୍ରୋ ଟ୍ରେନ୍

Advertisement

ଭୁବନେଶ୍ୱର: ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ମଧ୍ୟରେ ଟ୍ରେନ୍ ଗଡ଼ିବ । ଏନେଇ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ବାକି ରହିଛି । ରାଜ୍ୟ ସରକାର ମେଗା ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ପର୍ଯ୍ୟଟକଙ୍କ ସମେତ ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ଟ୍ରେନ୍ ଚଳାଚଳ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିନେଇ ରେଳ ମନ୍ତ୍ରଣାଳୟ ସହ ରାଜ୍ୟ ସରକାରଙ୍କ ପ୍ରାରମ୍ଭିକ ପର୍ଯ୍ୟାୟ ଆଲୋଚନା ଶେଷ ହେବା ସହିତ ଟ୍ରେନ୍ ଚାଲିବାକୁ ଥିବା ମାର୍ଗ ମଧ୍ୟ ଚୂଡ଼ାନ୍ତ ହୋଇ ସାରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର-ପୁରୀ ମଧ୍ୟରେ ଏହି ଟ୍ରେନ୍ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ କୋଣାର୍କ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ସ୍ଥିର କରାଯାଇଛି । ଏହି ଟ୍ରେନ୍ ଚଳାଚଳ କଲେ ଭୁବନେଶ୍ୱର-ପୁରୀ ମଧ୍ୟରେ ୬୦ କି.ମି ଦୂରତ୍ୱକୁ ମାତ୍ର ୩୦ ମିନିଟ ଭିତରେ ଅତିକ୍ରମ କରାଯାଇ ପାରିବ ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ବିକଶିତ କରୁଥିବା ବେଳେ ଏହି ଟ୍ରେନ୍ ଚଳାଚଳ ରାଜ୍ୟବାସୀ ତଥା ପର୍ଯ୍ୟଟକଙ୍କୁ ଏକ ନିଆରା ଅନୁଭବ ଆଣିଦେବ ବୋଲି ଆଶା କରାଯାଉଛି । ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ମାଗଣା ଜମି ସହ ଆବଶ୍ୟକ ଅର୍ଥ ଯୋଗାଇ ଦେବେ ।

ଏନେଇ ବିସ୍ତୃତ ରିପୋର୍ଟ ରେଳ ମନ୍ତ୍ରଣାଳୟ ନିକଟରେ ଦାଖଲ କରାଯାଇ ସାରିଛି । ୫- ଟି ସଚିବ ଭି.କେ ପାଣ୍ଡିଆନ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଭୁବନେଶ୍ୱରକଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଯୋଜନା କରାଯାଇଥିବା ବେଳେ ବୈଷୟିକ କାରଣରୁ ଏହା ସମ୍ଭବ ହୋଇ ପାରିନଥିବା ସୂଚନା ମିଳିଛି ।

Get real time updates directly on you device, subscribe now.