fbpx

ମାଗଣା ସିଭିଲ୍ ସର୍ଭିସ୍ କୋଚିଂ: ମାର୍ଚ୍ଚ ୨୬ରେ ହେବ ପ୍ରବେଶିକା ପରୀକ୍ଷା, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କର ସଂଖ୍ୟା କମିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରି ମାଗଣା ସିଭିଲ୍ ସର୍ଭିସ କୋଚିଂ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମାଗଣାରେ ଟ୍ରେନିଂ ପ୍ରଦାନ କରାଯିବ । ଏଥିପାଇଁ ଗତବର୍ଷ ଡିସେମ୍ବର ମାସରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା ।

ତେବେ ଏହା ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଠାରୁ ଆବେଦନ ପତ୍ର ଆହ୍ୱାନ କରାଯାଇଛି । କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପ୍ରିଲିମିନାରୀ / ମୁଖ୍ୟ ପରୀକ୍ଷା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାଗଣାରେ କୋଚିଂ ପ୍ରଦାନ କରାଯିବ । ୨୦୦ ମେଧାବୀଙ୍କୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯାଇ ମାଗଣାରେ କୋଚିଂ ପ୍ରଦାନ କରାଯିବ ।

ଆସନ୍ତା ମାର୍ଚ୍ଚ ମାସ ୨୬ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ । ଏନେଇ ଫେବୃଆରୀ ୧୮ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହା ପରେ ମାର୍ଚ୍ଚ ୧୬ରେ ପ୍ରାର୍ଥୀମାନେ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ୨ ଘଣ୍ଟା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷାରେ ଯେଉଁମାନେ କୃତକାର୍ଯ୍ୟ ହେବେ ସେମାନଙ୍କୁ ମାଗଣାରେ କୋଚିଂ ପ୍ରଦାନ କରାଯିବ ।

ଏହି ପରୀକ୍ଷାକୁ ଷ୍ଟେଟ ସିଲେକ୍ସନ ବୋର୍ଡ (ଏସଏସବି) ପରିଚାଳନା କରିବ । ୨୦୨୩ ଅଗଷ୍ଟ ୧ ତାରିଖ ସୁଦ୍ଧା ଯେଉଁମାନଙ୍କର ବୟସ ୨୧ରୁ ୩୦ ବର୍ଷ ମଧ୍ୟରେ ରହିଥିବ ସେମାନେ ଏଥିରେ ଆବେଦନ କରିପାରିବେ । ରାଜ୍ୟର ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଓ ସମ୍ବଲପୁର ଆଦି ୫ଟି ସହରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏ ବାବଦରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ https://dhe.odisha.gov.in/ କିମ୍ବା https://www.samsodisha.gov.in/ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

Get real time updates directly on you device, subscribe now.