ତାମିଲନାଡୁ: ଆଜିକାଲିର ଡିଜିଟାଲ ଦୁନିଆରେ ଓଲା-ୟୁବର ଭଳି କିଛି ଟ୍ରାନ୍ସପୋର୍ଟିଂ କମ୍ପାନୀର ଚାହିଦା ବେଶ ବୃଦ୍ଧି ପାଇଛି । ସହର ଭିତରର କୌଣସି ଅଞ୍ଚଳକୁ ଯିବା ପାଇଁ ହେଲେ କ୍ୟାବ-ଅଟୋ ଇତ୍ୟାଦିର ବହୁଳ ବ୍ୟବହାର ଦେଖିବାକୁ ମିଳିଛି । ତେବେ ଏସବୁକୁ ନେଇ ଏବେ ଟ୍ରାଫିକ ନିୟମରେ ଆସିଛି ବଡ ପରିବର୍ତ୍ତନ । କ୍ୟାବ ଏବଂ ଅଟୋ ଚଳାଉଥିବା ଗାଡିଚାଳକମାନଙ୍କ ମନମାନୀ ଉପରେ ରୋକ ଲଗାଇବେ ସରକାର । ଯାତ୍ରୀମାନଙ୍କୁ ସେମାନଙ୍କ ଲକ୍ଷ୍ୟସ୍ଥଳକୁ ନେବା ପାଇଁ ମନା କଲେ ଦେବାକୁ ପଡିବ ଜରିମାନା ।
ସୂଚନା ଅନୁସାରେ, ଅକ୍ଟୋବର ୨୮ ତାରିଖରୁ ଟ୍ରାଫିକ ନିୟମରେ ପରିବର୍ତ୍ତନ ଆଣିଛନ୍ତି ତାମିଲନାଡୁ ସରକାର । ଅଧିକାଂଶ ସମୟରେ ଅନଲାଇନ କ୍ୟାବ କିମ୍ବା ଅଟୋ ଉପରେ ନିର୍ଭର କରୁଥିବା ଲୋକମାନଙ୍କ ପାଇଁ ଖୁବ ଲାଭଦାୟକ ହେବ ଏହି ନିୟମ । କ୍ୟାବ ଡ୍ରାଇଭର ଯାତ୍ରୀଙ୍କ ରାଇଡକୁ ଶେଷ ମୁହୂର୍ତ୍ତରେ ବାତିଲ କରିବା କିମ୍ବା ଅଟୋଚାଳକ ସେମାନଙ୍କୁ ଗନ୍ତବ୍ୟସ୍ଥଳକୁ ନେଇ ଯାଉନଥିବା ମାମଲା ନେଇ ଅନେକ ଦିନରୁ ଅଭିଯୋଗ ହେଉଥିଲା । ଯାହାକୁ ନେଇ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏଣିକି କୌଣସି ରାଇଡ ବାତିଲ କଲେ ଚାଳକଙ୍କୁ ୫୦ ଟଙ୍କାରୁ ୫୦୦ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଏହାଦ୍ୱାରା ପ୍ରତ୍ୟେକ ସ୍ଥାନ ପାଇଁ କ୍ୟାବ ଏବଂ ଅଟୋ ପାଇପାରିବେ ଗ୍ରାହକ ।
ସେହିପରି ବାଇକ ଚଳାଇବା ସମୟରେ ଯଦି କେହି ମ୍ୟଜିକ, ଟ୍ୟାବ କିମ୍ବା ମ୍ୟୁଜିକ ପ୍ଲେୟର ବ୍ୟବହାର କରିବେ, ତେବେ ସେମାନଙ୍କ ପାଖରୁ ପ୍ରଥମ ୧୦୦୦ ଟଙ୍କାର ଫାଇନ ଆଦାୟ କରାଯିବ । କିନ୍ତୁ ସମାନ ଘଟଣା ଏକାଧିକ ଥର ହେଲେ ଏଥିପାଇଁ ୧୦ ଗୁଣ ଅଧିକ ଫାଇନ ଭରିବେ ଚାଳକ । ଅନ୍ୟ ପକ୍ଷରେ ବିନା ଲାଇସେନ୍ସରେ ଗାଡି ଚଳାଉଥିବା ବେଳେ ଧରାପଡିଲେ ୫ହଜାର, ସିଗନାଲ ଭାଙ୍ଗିଲେ ୧ ହଜାର ଟଭ୍କାର ଜରିମାନା ଲଗାଇପାରନ୍ତି ଟ୍ରାଫିକ ପୋଲିସ ।
ଏହାବ୍ୟତୀତ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଜରୁରୀକାଳୀନ ଗାଡିକୁ ରାସ୍ତା ନ ଦେଲେ ମଧ୍ୟ ଫାଇନ ଭରିବେ ଗାଡିଚାଳକ । ଏଥିପାଇଁ ଆପଣଙ୍କୁ ୧୦ ହଜାର ଟଙ୍କା ଏବଂ ଓଭର ସ୍ପିଡିଙ୍ଗ ପାଇଁ ୫ରୁ ୧୦ ହଜାର ଟଙ୍କା ଚାଲାଣ କଟିପାରେ । ରାସ୍ତାରେ ବାଇକ ରେସିଙ୍ଗ କରୁଥିବା ଯୁବକମାନଙ୍କ ପାଇଁ ମଧ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏମିତି କରିବା ସମୟରେ ଧରାପଡିଲେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିପାରେ ପୋଲିସ । ତେବେ ମଡିଫାଏଡ ସାଇଲେନ୍ସର ପାଇଁ ୧ ହଜାର ଏବଂ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟିପାରେ ବୋଲି ସରକାରଙ୍କ ତରଫରୁ ଘୋଷଣା ହୋଇଛି ।