CHARIDHAM

ଏୟାର ଇଣ୍ଡିଆର ବଡ଼ ଘୋଷଣା, ଆଉ ଆକାଶରେ କେବେ ଉଡ଼ିବନି ଫ୍ଲାଇଟ୍ ନଂ ୧୭୧ ବିମାନ

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଲୋକଙ୍କ ପାଇଁ ସମ୍ମାନ ସଦୃଶ।

ନୂଆଦିଲ୍ଲୀ: ଗୁରୁବାର ଦିନ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ AI-171 ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନ ଭିତରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ଜୀବନ ଯାଇଥିଲା।

ଦୁର୍ଘଟଣାରୁ କେବଳ ଜଣେ ବଞ୍ଚି ପାରିଥିଲେ। ଏହି ବିମାନ ଦୁର୍ଘଟଣା ପରେ, ଏୟାର ଇଣ୍ଡିଆ ଏୟାରଲାଇନ୍ସ କମ୍ପାନୀ ଏକ ବଡ଼ ଘୋଷଣା କରିଛି। ଆଉ ଆକାଶରେ ଉଡ଼ିବନି ଏୟାର ଇଣ୍ଡିଆର ବିମାନ ୧୭୧।

କାହିଁକି ଏହି ନିଷ୍ପତ୍ତି: ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ କେବେବି ‘୧୭୧’ ଫ୍ଲାଇଟ୍ ନମ୍ବର ବ୍ୟବହାର କରିବେ ନାହିଁ। ଶନିବାର ଦିନ ଏହି ସୂଚନା ଦିଆଯାଇଛି। କାରଣ ଗୁରୁବାର ଦିନ ହୋଇଥିବା ବିମାନ ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା।

ଉଡ଼ାଣ ଭରିବା ପରେ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବୋଇଂ ୭୮୭-୮ ଡ୍ରିମଲାଇନର ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଗାଟୱିକ୍ ପାଇଁ ଫ୍ଲାଇଟ୍ ନମ୍ବର ‘ଏଆଇ ୧୭୧’ ବ୍ୟବହାର କରୁଥିଲା।

‘AI 171’ ପରିବର୍ତ୍ତେ ‘AI 159’: ସୂତ୍ରରୁ ଜଣାପଡିଛି କି, ଏହିପରି ମାରାତ୍ମକ ବିମାନ ଦୁର୍ଘଟଣା ପରେ ବିମାନ କମ୍ପାନୀଗୁଡ଼ିକ ସ୍ୱତନ୍ତ୍ର ବିମାନ ନମ୍ବର ବ୍ୟବହାର କରିବା ବନ୍ଦ କରିଦିଏ।

କୁହାଯାଉଛି କି ଏବେ ଜୁନ୍ ୧୭ ରୁ ଅହମ୍ମଦାବାଦ-ଲଣ୍ଡନ ଗାଟୱିକ୍ ର ବିମାନ ନମ୍ବର ‘AI 171’ ପରିବର୍ତ୍ତେ ‘AI 159’ ହେବ। ଶୁକ୍ରବାର ବୁକିଂ ସିଷ୍ଟମରେ ଆବଶ୍ୟକୀୟ ପରିବର୍ତ୍ତନ ମଧ୍ୟ କରାଯାଇଛି।

ପୂର୍ବରୁ ‘IX 171’ ବନ୍ଦ କରାଯାଇଥିଲା: ଅନ୍ୟ ଏକ ସୂତ୍ରରୁ ଜଣାପଡିଛି କି,  ଏୟାର ଇଣ୍ଡିଆ ଏକ୍ସପ୍ରେସ ମଧ୍ୟ ଏହାର ବିମାନ ନମ୍ବର ‘IX 171’ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

କୁହାଯାଉଛି ବିମାନ ନମ୍ବର ‘୧୭୧’ ବନ୍ଦ କରିବା ସ୍ୱର୍ଗୀୟ ଆତ୍ମାଙ୍କ ପ୍ରତି ସମ୍ମାନ। ପୂର୍ବରୁ ୨୦୨୦ ରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ମଧ୍ୟ କୋଝିକୋଡରେ ଦୁର୍ଘଟଣାଗ୍ରସ୍ତ ହେବା ପରେ, ବିମାନର ବିମାନ ନମ୍ବର ବ୍ୟବହାର କରିବା ବନ୍ଦ କରିଦେଇଥିଲା। ଏହି ଦୁର୍ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା।