ଆଉ ହେବନାହିଁ ଟ୍ରେନ ଦୁର୍ଘଟଣା, ଲାଗିବ ସ୍ୱୟଂଚାଳିତ ଗେଟ

ଆଜି ମୁମ୍ବାଇ ଟ୍ରେନ ଦୁର୍ଘଟଣା ପରେ ରେଳବାଇ ବୋର୍ଡ ନେଇଛି ବଡ ପଦକ୍ଷେପ, ଦୁର୍ଘଟଣାକୁ ରୋକିବା ପାଇଁ ଲାଗିବ ସ୍ୱୟଂଚାଳିତ ଗେଟ

ମୁମ୍ବାଇ: ଆଉ ହେବନାହିଁ ଟ୍ରେନ ଦୁର୍ଘଟଣା। ଏହି ଦୁର୍ଘଟଣାକୁ ଆଖିରେ ରଖି ରେଳବାଇ ବୋର୍ଡ ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ନେଇଛି ଏକ ବଡ ପଦକ୍ଷେପ। ଆଜି ମୁମ୍ବାଇରେ ଏକ ମର୍ମନ୍ତୁଦ ଲୋକାଲ ଟ୍ରେନ ଦୁର୍ଘଟଣା ଘଟିଛି ଯେଉଁଥିରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି।

ସେଥିପାଇଁ ରେଳବାଇ ବୋର୍ଡ ଏହି ଦୁର୍ଘଟଣାକୁ ବହୁତ ଗମ୍ଭୀରତାର ସହ ନେଇ ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି କିଛି ପଦକ୍ଷେପ ନେଇଛି। ତାହା ହେଉଛି ଏବେଠାରୁ ମୁମ୍ବାଇରେ ଯେଉଁ ଲୋକାଲ୍ ଟ୍ରେନ୍ ତିଆରି ହେବ ସେହି ସବୁ ନୂତନ ଟ୍ରେନ୍‌ଗୁଡ଼ିକରେ ଆପେ ଆପେ ବନ୍ଦ ହେବା ଦ୍ୱାର ଲାଗିବ।

ଯାତ୍ରୀମାନଙ୍କ ଜୀବନ ବିପଦରେ ନପଡିବା ପାଇଁ ଏବଂ ଟ୍ରେନ୍ ଯାତ୍ରା ଆହୁରି ସୁରକ୍ଷିତ ହେବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଆଜି ସକାଳ 9 ଟାରେ ମୁମ୍ବାଇର ଦିବା ଏବଂ ମୁମ୍ବ୍ରା ଷ୍ଟେସନ ମଧ୍ୟରେ ଏକ ଲୋକାଲ୍ ଟ୍ରେନ୍ ଦୁର୍ଘଟଣା ଘଟିଥିଲା।

କୁହାଯାଉଛି ଯେ, ସେଥିରେ ବହୁତ ଭିଡ଼ ଥିବାରୁ ଅନେକ ଯାତ୍ରୀ ଟ୍ରେନରେ ଓହଳିକି ଯାତ୍ରା କରୁଥିଲେ। ଏହି କାରଣରୁ ଦୁର୍ଘଟଣାଟି ଘଟିଥିଲା।

ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇ କେନ୍ଦ୍ରୀୟ ରେଳବାଇ କହିଛି ଯେ, ଥାଣେର ମୁମ୍ବ୍ରା ରେଳ ଷ୍ଟେସନରେ CSMT ଅଭିମୁଖେ ଯାତ୍ରା କରୁଥିବା କିଛି ଯାତ୍ରୀ ଟ୍ରେନରୁ ଖସି ପଡ଼ିଥିଲେ। ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ରେଳ ପ୍ରଶାସନ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା।