fbpx

PFRDAରୁ ଅଲଗା ହୋଇଯିବ NPS, ସଂସଦରେ ଅର୍ଥ ବିଧେୟକ ମଞ୍ଜୁରୀ ନେଇ ସରକାରଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ: ସରକାର ସଂସଦର ଶୀତକାଳୀନ ଅଧିବେଶନରେ ଦୁଇଟି ଅର୍ଥ ବିଧେୟକ ଗୃହୀତ କରିବାକୁ ଯୋଜନା କରୁଛନ୍ତି । ଏନେଇ ପୂର୍ବରୁ ବଜେଟରେ କୁହାଯାଇଥିଲା । ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ)କୁ ପେନସନ ଫଣ୍ଡ ରେଗୁଲେଟର ଆଣ୍ଡ ଡେଭଲପମେଣ୍ଟ ଅଥରିଟି (ପିଏଫଆରଡିଏ)ରୁ ଅଲଗା କରାଯିବ । ଏଥିପାଇଁ ପିଏଫଆରଡିଏ ଅଧିନିୟମ ୨୦୧୩ରେ ସଂଶୋଧନ ପାଇଁ ବିଧେୟକ ଅଣାଯିବ । ତେବେ ଏହା କାର୍ଯ୍ୟକାରୀ ହେବା ପରେ ପେନସନ କାର୍ଯ୍ୟ ବ୍ୟାପକ ହୋଇପାରିବ । ଆଉ ଏକ ବିଧେୟକ ସାର୍ବଜୀନକ କ୍ଷେତ୍ରର ବ୍ୟାଙ୍କର ଘରୋଇକରଣ ନେଇ ଆସିବ ବୋଲି ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ସରକାର ବ୍ୟାଙ୍କିଂ ଅଧିନିୟମ ୧୯୪୯ରେ ସଂଶୋଧନ ନେଇ ବିଧେୟକ ଗୃହୀତ କରାଇବେ । ଏଥିସହ ବ୍ୟାଙ୍କର ଘରୋଇକରଣ ପାଇଁ ବ୍ୟାଙ୍କିଂ କମ୍ପାନିଜ୍ ଅଧିନିୟମ ୧୯୭୦ ଓ ୧୯୮୦ରେ ସଂଶୋଧନ କରିବେ । ଉପରୋକ୍ତ ଦୁଇ ନିୟମ ମାଧ୍ୟମରେ ସରକାର ଦୁଇଟି ପର୍ଯ୍ୟାୟରେ ବ୍ୟାଙ୍କର ରାଷ୍ଟ୍ରୀୟକରଣ କରାଇଥିଲେ । ତେଣୁ ବର୍ତ୍ତମାନ ବ୍ୟାଙ୍କର ଘରୋଇକରଣ ପାଇଁ ଉକ୍ତ ଦୁଇ ନିୟମରେ ସଂଶୋଧନ କରିବା ନିହାତି ଜରୁରୀ । ସୂଚନାଯୋଗ୍ୟ ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୧-୨୨ ବଜେଟରେ ସରକାରଙ୍କ ୧.୭୬ ଲକ୍ଷ କୋଟି ବିନିବେଶ ପାଇଁ ବ୍ୟାଙ୍କର ଘରୋଇକରଣ ଘୋଷଣା କରିଥିଲେ । ଆଇଡିବିଆଇ ବ୍ୟାଙ୍କ ବ୍ୟତୀତ ଆଉ ଦୁଇଟି ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କର ଘରୋଇକରଣ ନେଇ ଅର୍ଥମନ୍ତ୍ରୀ ସୂଚନା ଦେଇଥିଲେ ।

Get real time updates directly on you device, subscribe now.