fbpx
BJD SKY
BJD SKY

ଭୟ ବଢ଼ାଉଛି ଡ଼େଙ୍ଗୁ: ରାଜଧାନୀରେ ୩ ହଜାର ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

BJD

ଭୁବନେଶ୍ୱର, (ଓଡ଼ିଶା ଭାସ୍କର) : ଗତ ୨ ବର୍ଷ ଧରି ସାରା ରାଜ୍ୟରେ କରୋନା ମହାମାରୀ ତା’ର ଆତଙ୍କ ଖେଳାଇ ସାରିବା ପରେ ଏବେ ଧୀରେ ଧୀରେ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ଅନ୍ୟପକ୍ଷରେ ଗତ କିଛି ମାସ ହେବ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡେଙ୍ଗୁ କରୋନା ସଂକ୍ରମଣ ପରି ବ୍ୟାପିବାରେ ଲାଗିଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ଏହା ତା’ର କାୟା ବିସ୍ତାର କରିବାରେ ଲାଗିଛି । ସ୍ୱାସ୍ଥ୍ୟବିଭାଗର ସୂଚନାନୁଯାୟୀ, ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାଖାପାଖି ପହଞ୍ଚିଯାଇଛି ।

ଗତ ୨୪ ଘଣ୍ଟାରେ ରାଜଧାନୀ ଭୁବନେଶ୍ୱରରେ ଆଉ ୪୮ ନୂଆ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜଧାନୀବାସୀଙ୍କ ମନରେ ଉଦବେଗ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ସୁନ୍ଦରଗଡ଼ରେ ବର୍ତ୍ତମାନ ସୁଦ୍ଧା ୧୧୪ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଉରକେଲାରେ ଏହି ସଂଖ୍ୟା ୯୯ ରହିଛି । ସେହିପରି ମୟୁରଭଞ୍ଜରେ ମାସକ ମଧ୍ୟରେ ୩୨ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ କଟକ ଓ ଭୁବନେଶ୍ୱରରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏନେଇ ସତର୍କତା ଜରୁରୀ ହୋଇପଡ଼ିଛି । ବିଭିନ୍ନ ହସ୍ପିଟାଲ୍ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଡେଙ୍ଗୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ହସ୍ପିଟାଲ୍ରେ ଏନେଇ ଶଯ୍ୟାସଂଖ୍ୟା ବୃଦ୍ଧି କରାଯାଇଛି । ଏ କ୍ଷେତ୍ରରେ ସଚେତନତାର ଜରୁରୀ ଆବଶ୍ୟକତା ରହିଛି । ଘର ନିକଟରେ ଥିବା ଗଛଲତା ଓ ବୁଦା ସଫା କରିବା ଜରୁରୀ ସହ ମଶା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା ଉଚିତ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Get real time updates directly on you device, subscribe now.