fbpx

ସେୟାର ମାର୍କେଟରେ ବ୍ଲାକ୍ ଫ୍ରାଇଡେ’: ୧୧ ଶହ ପଏଣ୍ଟ ତଳକୁ ଖସିଲା SENSEX

Advertisement

ମୁମ୍ବାଇ : ଶୁକ୍ରବାର ଭାରତୀୟ ସେୟାର ମାର୍କେଟ ପାଇଁ ବ୍ଲାକ୍ ଫ୍ରାଇଡେ’ ସାବ୍ୟସ୍ତ ହୋଇଛି । ସେନସେକ୍ସ ୧୧ଶହ ପଏଣ୍ଟ ହ୍ରାସ ପାଇଛି । ବିଶେଷ କରି ଏପରି ହେବା ଫଳରେ ବ୍ୟାଙ୍କିଂ ସେକ୍ଟରରେ ନିବେଶକମାନଙ୍କୁ ଜୋରଦାର ଝଟକା ଲାଗିଛି । ସେହିପରି ନିଫ୍ଟି ବ୍ୟାଙ୍କ୍ ଇଣ୍ଡେକ୍ସ ମଧ୍ୟ ୨.୭% ହ୍ରାସ ସହ ବନ୍ଦ ହୋଇଛି । ବିଏସଇ ସେନସେକ୍ସ ୧୦୨୦ ପଏଣ୍ଟ ୮୦ ଅଙ୍କ ଅର୍ଥାତ୍ ୧.୭୩% ତଳକୁ ଖସି ୫୮ ହଜାର ୯୮.୯୨ ପଏଣ୍ଟରେ କାରବାର ଶେଷ କରିଛି । ସେହିଭଳି ନିଫ୍ଟି ୩୦୨ ପଏଣ୍ଟ ୫୦ ଅଙ୍କ ଅର୍ଥାତ୍ ୧.୭୨% ହ୍ରାସ ପାଇଛି । ୧୭୩୨୭.୩୦ ପଏଣ୍ଟ ସହ ଏହା କାରବାର ଶେଷ କରିଛି ।

ଅନ୍ୟପକ୍ଷରେ ନିଫ୍ଟି ବ୍ୟାଙ୍କ ୧୦୮୪.୩୦ ପଏଣ୍ଟ ହ୍ରାସ ପାଇ ୩୯ ହଜାର ୫୪୬.୩୦ ପଏଣ୍ଟରେ କାରବାର ଶେଷ କରିଛି । ଏହା ପୁଣି ଥରେ ୪୦ ହଜାରକୁ ଖସି କାରବାର ବନ୍ଦ କରିଥିବା ସୂଚନା ଦିଆଯାଇଛି । ତେବେ ବ୍ୟାଙ୍କିଂ ସେକ୍ଟରକୁ ସବୁଠାରୁ ଅଧିକ ଝଟକା ଲାଗିଛି । ପବ୍ଲିକ୍ ସେକ୍ଟର ବ୍ୟାଙ୍କ ସବୁଠାରୁ ଅଧିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି ।

ପିଏସ୍ୟୁ ବ୍ୟାଙ୍କର ୩.୯୭% ହ୍ରାସ ଆସିଥିବାବେଳେ ଘରୋଇ ବ୍ୟାଙ୍କ୍ ଇଣ୍ଡେକ୍ସରେ ୨.୬୭% ହ୍ରାସ ଦେଖିବାକୁ ମିଳିଛି । ସେହିପରି ଫାଇନାନ୍ସ ସେକ୍ଟରରେ ୨.୪୮%, ରିୟାଲିଟି କ୍ଷେତ୍ରରେ ୨.୯୬%, ଶକ୍ତି କ୍ଷେତ୍ରରେ ୨.୬୬% ହ୍ରାସ ପାଇଛି । ଏହାର ମଧ୍ୟ ବିଭିନ୍ନ କାରଣ ରହିଛି । ଆମେରିକା ଫେଡ୍ ଦ୍ୱାରା ସୁଧହାର ବୃଦ୍ଧି, ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ସୁଧ ହାର ବୃଦ୍ଧି ଯୋଗୁଁ ଏପରି ଘଟିଥିବା କୁହାଯାଉଛି ।

Get real time updates directly on you device, subscribe now.